Sat. Mar 7th, 2026

ଏନ୍ଆରସିରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କ ପାଇଁ ଅଣ୍ଟା ଭିଡ଼ିବ କଂଗ୍ରେସ

308 Views

ନୂଆଦିଲ୍ଲୀ  : ଆସାମର ଚୂଡ଼ାନ୍ତ ନାଗରିକ ତାଲିକା ବା ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ( ଏନ୍ଆରସି) ତାଲିକାକୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡ଼ିବ କଂଗ୍ରେସ। ଗତକାଲି ଗୃହମନ୍ତ୍ରଣାଳୟ ଏନଆରସି ତାଲିକା ପ୍ରକାଶ କରିବା ପରେ କଂଗ୍ରେସ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲା। ଯେଉଁଥିରେ ଏହି ମତ ପ୍ରକାଶ ପାଇଛି।

ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଏନ୍ଆରସି ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ କଂଗ୍ରେସ ଲଢ଼େଇ  କରିବ। ଯେଉଁମାନେ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି ସେମାନେ କିଭଳି ଏହି ତାଲିକାରେ ସାମିଲ୍ ହେବେ ସେ ନେଇ କଂଗ୍ରେସ ସମସ୍ତ ପ୍ରକାର ଚାପ ସରକାରଙ୍କ ଉପରେ ପକାଇବ ବୋଲି ଅଧୀର କହିଛନ୍ତି।

ଆସାମ୍ କଂଗ୍ରେସ ନେତା ଗୌରଭ ଗୋଗୋଇ କହିଛନ୍ତି ଏନ୍ଆରସି ତାଲିକାକୁ ନେଇ ଆସାମରେ ଅସନ୍ତୋଷ ପ୍ରକାଶ ପାଇଛି। କ୍ଷମତାରେ ଥିବା ଶାସକ ଦଳର ନେତା ମନ୍ତ୍ରୀ ମାନେ ମଧ୍ୟ ଏନ୍ଆରସିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ସରକାର ଆସାମର ମୂଳବାସୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି ବୋଲି ଗୋଗୋଇ କହିଛନ୍ତି।

ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ବସିଥିବା ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୁଲାମ ନବୀ ଆଜାଦ୍, ମୁକୁଲ ସାଙ୍ଗମା, ଗୌରଭ ଗୋଗୋଇ, ଏକେ ଆଣ୍ଟୋନୀ ଓ ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏନ୍ଆରସି ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ବ୍ୟକ୍ତି ସାମିଲ୍ ହୋଇଥିବା ବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ତାଲିକାରୁ ବାଦ୍ ପଡ଼ିଛନ୍ତି। ଯେଉଁମାନେ ଏହି ତାଲିକାକୁ ନେଇ ସନ୍ତୋଷ ନାହାନ୍ତି ସେମାନେ ଚାହିଁଲେ ଆସାମ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୪୦୦ ବିଦେଶୀ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ। ଏଥିପାଇଁ ୧୨୦ ଦିନର ମହଲତ ଦେଇଛନ୍ତି ସରକାର।

By amfnews

Related Post