Thu. Dec 26th, 2024

ଏନ୍ଆଇଟିରେ ଦଶ ଦିବସୀୟ ଅନୁସନ୍ଧାନ ପ୍ରଣାଳୀ କର୍ମଶାଳା ଉଦ୍ଘାଟିତ

By amfnews Oct 30, 2018 #Featured
157 Views

ରାଉରକେଲା, ୩୦ା୧୦  : ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି), ରାଉରକେଲା ସ୍କୁଲ ଅଫ ମ୍ୟାନେଜମେଣ୍ଟ ତରଫରୁ ଆୟୋଜିତ ସାମାଜିକ ବିଜ୍ଞାନରେ ଅନୁସନ୍ଧାନ ପ୍ରଣାଳୀ କର୍ମଶାଳାକୁ ଆଜି ଛାତ୍ର କଲ୍ୟାଣ ବିଭାଗର ଡିନ୍ ପ୍ରଫେସର ସୀମାଞ୍ଚଳ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି । ଏହି ଅବସରେ ସେ କହିଛନ୍ତି, ‘ମୁଁ ଆଶା କରୁଛି ଯେ, ଏହି କର୍ମଶାଳାରେ ଭାଗ ନେଇଥିବା ଅନୁସନ୍ଧାନକର୍ତ୍ତା କିଛି ଶିଖିବାକୁ ପାଇବେ । ଅନୁସନ୍ଧାନର ଅର୍ଥ ସୂଚନା ଉପଲବ୍ଧ କରାଇବା । ଜ୍ଞାନ ଆହରଣ କିମ୍ବା ଉତ୍ପାଦନ କରିବାକୁ ହେଲେ ଅନୁସନ୍ଧାନ ସବୁବେଳେ ଉଚ୍ଚ ଗୁଣବତ୍ତା ଥିବା ଆବଶ୍ୟକ । କୌଣସି ସମସ୍ୟାର ସମାଧାନ ପାଇଁ କିମ୍ବା ଆବିଷ୍କାର ପାଇଁ ଅନୁସନ୍ଧାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏହା କୌଣସି ବିଷୟବସ୍ତୁକୁ ନୂତନ ଆବିଷ୍କାର ପାଇଁ ଗୋଟିଏ ବିଶାଳ କ୍ଷେତ୍ର ଯୋଗାଇଥାଏ । କିନ୍ତୁ ସବୁ ଅନୁସନ୍ଧାନକର୍ତ୍ତାଙ୍କୁ ଏହା ମନେ ରଖିବା ଉଚିତ୍ ଯେ, ଅନୁସନ୍ଧାନ ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅନୁସନ୍ଧାନକର୍ତ୍ତାମାନଙ୍କୁ ସମାଧାନର ପନ୍ଥା ବାହାର କରିବା ଆବଶ୍ୟକ । ଏହି ଦଶ ଦିବସୀୟ କର୍ମଶାଳାରେ ଫିଲ୍୍ଡ ଭିଜିଟ୍ କରିବାର ସୁଯୋଗ ମିଳିବା ସହ ଅନୁସନ୍ଧାନର ନୂତନ କୌଶଳ ବିଷୟରେ ଶିକ୍ଷା ଦିଆଯିବ, ଯାହା ପିଏଚ୍ଡି କରୁଥିବା ଛାତ୍ରଛାତ୍ରୀଙ୍କ ଫାଇନାଲ ଥେସିସ୍ ପ୍ରସ୍ତୁତ କରିବାରେ ଏହା ସହାୟକ ହେବ ।

ଓଡିଶା ତଥା ଝାରଖଣ୍ଡ, ଛତିଶଗଡ, ନର୍ଥ ଇଷ୍ଟରୁ ମୋଟ ୩୦ ଜଣ ପ୍ରଶିକ୍ଷାର୍ଥୀ ଏଥିରେ ଭାଗ ନେଇଛନ୍ତି । କାର୍ଯ୍ୟକ୍ରମର ଆରମ୍ଭରେ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଆସୋସିଏଟ୍ ପ୍ରଫେସର ଡା. ରାଜୀବ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଉଦ୍ଘାଟନୀ ସମାରୋହ ଶେଷରେ ପ୍ରଫେସର ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କର୍ମଶାଳା ୨୯ ଅକ୍ଟୋବରରେ ଉଦ୍ଘାଟିତ ହୋଇଥିବା ବେଳେ ନଭେମ୍ବର ୭ ତାରିଖରେ ସମ୍ପନ୍ନ ହେବ ।

By amfnews

Related Post