Sat. Mar 7th, 2026

ଏଣିକି ସଂଦିଗ୍ଧ ଚାହିଁଲେ ହୋଟେଲରେ ବି ହୋମ୍ କ୍ୱାରେଣ୍ଟାଇନରେ ରହିପାରିବେ

153 Views

 ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ପ୍ରାଥମିକ ସ୍ତରରେ ସତର୍କତାମୂଳକ ପଦକ୍ଷେପ ଭାବେ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି। ଏହି ହୋମ୍ କ୍ୱାରେଣ୍ଟାଇନ ହେଉଛି ସଙ୍ଗରୋଧ ପଦ୍ଧତି। ତେବେ ଯିଏ ଘରେ ନରହି ସରକାରଙ୍କ ଦ୍ୱାରା କରାଯାଇଥିବା ସ୍ଥାନରେ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ସରକାରୀ କୋଠାରେ ମାଗଣାରେ ବ୍ୟବସ୍ଥା କରାଯାଇଛି। ଏହାବାଦ ଯଦି କିଏ ନିଜ ଖର୍ଚ୍ଚରେ ହୋଟେଲ ରୁମ୍‌ରେ କ୍ୱାରେଣ୍ଟାଇନରେ ରହିବାକୁ ଚାହିଁବେ ତାଙ୍କ ପାଇଁ ମଧ୍ୟ BMC ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ରାଜଧାନୀରେ ୩ଟି ହୋଟେଲ୍‌ରେ କ୍ୱାରେଣ୍ଟାଇନ୍ ପାଇଁ ସୁବିଧା ପ୍ରଦାନ କରିବ ଭୁବନେଶ୍ୱର ମହାନଗର ନିଗମ। ଏହି ୩ଟି ହୋଟେଲ ହେଲା ଜୟଦେବବିହାରସ୍ଥିତ ଜିଞ୍ଜର ହୋଟେଲ, ଶହୀଦନଗରସ୍ଥିତ ଏମ୍ପାୟର୍ସ ଏବଂ କଳ୍ପନାସ୍ଥିତ ହୋଟେଲ କଳିଙ୍ଗ ଅଶୋକା। ନିଜ ପଇସାରେ ଜଣେ ସଂଦିଗ୍ଧ  କ୍ୱାରେଣ୍ଟାଇନ୍‌ରେ ରହିପାରିବେ। ଏଥିପାଇଁ ତାଙ୍କୁ ଦୈନିକ ୨୫୦୦ ଟଙ୍କା ସହ ଟ୍ୟାକ୍ସ ଦେବାକୁ ପଡ଼ିବ। ଏହି ହୋଟେଲମାନଙ୍କରେ ସଂଦିଗ୍ଧଙ୍କୁ ସମସ୍ତ ପ୍ରକାର ସୁବିଧା ସହ ଜଳଖିଆ , ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ବିଦେଶରୁ ଆସିଥିବା ଲୋକଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖା ନ ଯାଉଥିଲେ ମଧ୍ୟ ଘରେ ପୃଥକ ଭାବେ ରହିବାକୁ ସେମାନଙ୍କୁ ପରାମର୍ଶ ଦେଉଛନ୍ତି ସରକାର। ପୁରୀ ଗଜପତି ମହାରାଜ ବିଦେଶ ଗସ୍ତରୁ ଆସିଥିବାରୁ ନିଜକୁ ସପରିବାର ହୋମ୍ କ୍ୱାରେଣ୍ଟାଇନରେ ରଖିଛନ୍ତି।

ହୋମ୍ କ୍ୟାରେଣ୍ଟାଇନ ବେଳେ ୧୪ ଦିନ ପାଇଁ ବ୍ୟକ୍ତି ଜଣଙ୍କ ନିଜକୁ ଏକ ନିର୍ଦ୍ଦିଷ୍ଟ କୋଠରୀରରେ ଆବଦ୍ଧ କରି ରଖିବାକୁ ପରାମର୍ଶ ଦିଆଯାଇଥାଏ। ଯାହାଦ୍ୱାରା ଭାଇରସ୍‌ ବ୍ୟାପିପାରି ନ ଥାଏ। ଏହି ସମୟରେ ସଂଦିଗ୍ଧ ସ୍ୱତନ୍ତ୍ର ବାଥରୁମ୍ ବ୍ୟବହାର କରିବେ। ଏସି ଚଲାଇବେ ନାହିଁ, କୋଠରୀର ଝରକା ଖୋଲା ରଖିବେ। ନିଜେ ପରିଷ୍କାର ରହିବେ। କୋଠରୀକୁ ବି ପରିଷ୍କାର ରଖିବେ। ବ୍ୟବହାର କରୁଥିବା ଚାଦର, ଗାମୁଛାକୁ ନିୟମିତ ସଫା କରିବେ। ସେ ବ୍ୟବହାର କରୁଥିବା ମାସ୍କ ଅନ୍ୟ ସାମଗ୍ରୀକୁ ମୁହଁବନ୍ଦ ଡଷ୍ଟବିନ୍‌ରେ ରଖି ପୋଡ଼ି ନଷ୍ଟ କରିଦେବାକୁ ପରାମର୍ଶ ଦିଆଯାଇଛି।

By amfnews

Related Post