୫୫ଅନୁଗୁଳ,: ଜାତୀୟ ରାଜପଥ ଉପରେ ଗଜରାଜଙ୍କ ରାଜ୍। ବିଗତ କେଇଟା ବର୍ଷରେ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାବାସୀଙ୍କ ପାଇଁ ଏହା ହେଉଛି ଏକ ପ୍ରମୁଖ ଶିରୋନାମା। ଦିନ ହେଉ ଅବା ରାତି, ଯେକୌଣସି ମୁହୂର୍ତ୍ତରେ ହାତୀପଲ ଚାହିଁଲେ ଜାତୀୟ ରାଜପଥକୁ କବ୍ଜା କରୁଛନ୍ତି। ସଦଳେ ବଳେ ରାସ୍ତା ପାର୍ ହୋଇ ମଣିଷ ପଥ ଓଗାଳୁଛନ୍ତି। ସେଥିପାଇଁ ବାରମ୍ବାର ହାତୀ-ମଣିଷ ମୁହାଁମୁହିଁ ହେଉଛନ୍ତି। ରାଜରାସ୍ତାରେ ଯିବାକୁ ମଣିଷ ଯେମିତି ଡରୁଛି, ହାତୀପଲଙ୍କ ପାଇଁ ଘଣ୍ଟା ଘଣ୍ଟା ଟ୍ରାଫିକ୍ ଜାମ୍ ମଧ୍ୟ ସେମିତି ହେଉଛି। ଏଣିକି ଏହାର ସ୍ଥାୟୀ ସମାଧାନ ବାଟ ଖୋଲିଛି।
କଟକରୁ ଅନୁଗୁଳ ଦେଇ ସମ୍ବଲପୁର ଯାଇଥିବା ୫୫ନମ୍ବର ଜାତୀୟ ରାଜପଥରେ ହାତୀ ଆଉ ମଣିଷ ମୁହାଁମୁହିଁ ନ ହୋଇ ଯେମିତି ଏକାଠି ଚାଲିବେ ସେଥିପାଇଁ ଉପରେ ଚାରି ଥାକିଆ ବିସ୍ତୀର୍ଣ୍ଣ ରାଜପଥ ସାଙ୍ଗକୁ ତଳେ ହାତୀପଲଙ୍କ ପାଇଁ ଓସାରିଆ ଅଣ୍ଡର ପାସ୍ ବ୍ୟବସ୍ଥା କରାଯାଉଛି। ବନ ବିଭାଗର ପରାମର୍ଶ କ୍ରମେ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ ଢେଙ୍କାନାଳ, ଅନୁଗୁଳ ଏବଂ ଆଠମଲ୍ଲିକ ବନଖଣ୍ଡ ଭିତରେ ସର୍ବମୋଟ୍ ନଅଟି ଅଣ୍ଡର ପାସ୍ କାମ ହାତକୁ ନେଇ ସାରିଛନ୍ତି।
ବନ ବିଭାଗ ସୂତ୍ର ମୁତାବକ, ଉପରୋକ୍ତ ତିନୋଟି ବନଖଣ୍ଡ ମଧ୍ୟରୁ ରାଜପଥ ଉପରେ ହାତୀପଲ ସବୁଠାରୁ ବେଶି ଉତ୍ପାତ କରନ୍ତି ଢେଙ୍କାନାଳ ଡିଭିଜନରେ। ହିନ୍ଦୋଳ ସଂରକ୍ଷିତ ଜଙ୍ଗଲରୁ ୫୫ନମ୍ବର ଜାତୀୟ ରାଜପଥ ପାର୍ ହୋଇ ହାତୀପଲ ବ୍ରାହ୍ମଣୀ ନଦୀ ପଠା, ପର୍ଜଙ୍ଗ ଓ କପିଳାସ ଅଞ୍ଚଳ ପରିକ୍ରମା କରୁଛନ୍ତି। ଯଦିଓ ଭାରତୀୟ ବନ୍ୟଜୀବ ସଂସ୍ଥାନ( ୱାଇଲ୍ଡ଼ ଲାଇଫ୍ ଇନଷ୍ଟିଚ୍ୟୁଟ୍) ସ୍ବୀକୃତିପ୍ରାପ୍ତ ଢେଙ୍କାନାଳ ଜିଲ୍ଲାରେ ମଉଳାଭଞ୍ଜା-ଜିରିଡ଼ାମାଳି-ଅନନ୍ତପୁର, କହ୍ନେଇଜେନା-ଅନନ୍ତପୁର ପ୍ରମୁଖ ଦୁଇ ଅନ୍ତଃ ଜିଲ୍ଲା ହାତୀ କରିଡ଼ର ଶତାବ୍ଦୀ ଶତାବ୍ଦୀରୁ ଗଢ଼ି ଉଠିଛି, କିନ୍ତୁ ହାତୀପଲଙ୍କ ଗତିବିଧି ଏବେ ଆଉ କରିଡ଼ର ଭିତରେ ସୀମିତ ନାହିଁ। ଢେଙ୍କାନାଳ ଜିଲ୍ଲାରେ ହାତୀପଲଙ୍କ ଗତିବିଧି ଅନୁଶୀଳନ କଲେ ତାହା ଏବେ ଗୋଲାକାର ସ୍ଥିତିରେ ପହଞ୍ଚିଛି। କରିଡ଼ର ଚାରିପାଖ ଇଲାକାରେ ଏମାନଙ୍କର ଚଳପ୍ରଚଳ ଯେତିକି ନୁହେଁ, ଗାଁ ଗଣ୍ଡା ଓ ଦାଣ୍ଡରେ ବେଶି। ଗତ କେଇଟା ବର୍ଷ ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୫ଟି ଜାଗାରେ ହାତୀପଲ ରାଜପଥକୁ ବାରମ୍ବାର ଅତିକ୍ରମ କରି ଆସୁଛନ୍ତି ବୋଲି ବନ ବିଭାଗ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କୁ ହିସାବ ଦେଇଛି। ତଦ୍ ଅନୁସାରେ, ଓଡ଼ାପଡ଼ା ବ୍ଲକ ଗଇଲ ଛକ, ସୁଧାଡିହ କାଟେଣୀ, ରସାଂସିଂହ, ହଳଦିଆବାହାଳ ଓ ଜୟନ୍ତୀନଗର ପ୍ରମୁଖ ଅଞ୍ଚଳ। ଏହି ୫ଟି ସ୍ଥାନରେ ଅଣ୍ଡର ପାସ୍ କରିବାକୁ ଏନ୍ଏଚ୍ କର୍ତୃପକ୍ଷଙ୍କୁ କୁହାଯାଇଛି ବୋଲି ଢେଙ୍କାନାଳ ଡିଏଫ୍ଓ ସୁଦର୍ଶନ ପାତ୍ର କହିଛନ୍ତି।
ସେହିପରି ଅନୁଗୁଳ ବନଖଣ୍ଡରେ ୨ଟି ଅଣ୍ଡର ପାସ୍ ବ୍ୟବସ୍ଥା ହୋଇଛି। ଜରପଡ଼ା ଏବଂ ତା’ ନିିକଟରେ ତାହା ନିର୍ମିତ ହେବ ବୋଲି ଅନୁଗୁଳ ଡିଏଫ୍ଓ କାର୍ତ୍ତିକେୟନ ଭି. ସୂଚନା ଦେଇଛନ୍ତି। ଅନୁଗୁଳ ଭଳି ଆଠମଲ୍ଲିକ ବନଖଣ୍ଡରେ ଆଉ ଦୁଇଟି ଅଣ୍ଡର ପାସ୍ ବ୍ୟବସ୍ଥା ହୋଇଛି। ବାମୁର ରେଞ୍ଜର କୁଟାସିଂହା ଏବଂ ହଣ୍ଡପା ରେଞ୍ଜ୍ର ଜାମୁନାଳୀରେ ଦୁଇଟି କରାଯିବ। ପ୍ରତିଟି ଅଣ୍ଡର ପାସ୍ର ଓସାର ୧୦୦ମିଟର ଓ ଉଚ୍ଚତା ୭ମିଟର ହେବ ବୋଲି ବୋଲି ଆଠମଲ୍ଲିକ ଡିଏଫ୍ଓ ସୌମ୍ୟ ସାମନ୍ତରା କହିଛନ୍ତି। ଜାତୀୟ ରାଜପଥର ଚାରି ଥାକିଆ ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଯାଇଛି। ରାଜପଥ ତଳେ ଅଣ୍ଡର ପାସ ହେଲେ ହାତୀ ଆଉ ମଣିଷ ପଥ ଓଗାଳବନି, ବରଂ ହାତୀ-ମଣିଷ ଏକାଠି ଚାଲିବା ବାଟ ସୁଗମ ହେବ।
ରାଜପଥ ଭଳି ରେଲୱେରେ ମଧ୍ୟ ଏମିତି ଅଣ୍ଡର ପାସ୍ କିମ୍ବା ଓଭର ପାସ୍ କରାଯିବାର ଆବଶ୍ୟକତା ରହିଛି। ଢେଙ୍କାନାଳ ଜିଲ୍ଲା ସଦାଶିବପୁର, ରସାସିଂହ ଓ ଗୁଣଦେଇ ଇଲାକାରେ ହାତୀପଲ ରେଳଧାରଣା ଏବେ ଚଳପ୍ରଚଳ କରୁଛନ୍ତି। ରାଜପଥରେ ହାତୀ-ମଣିଷ ଏକାଠି ଚାଲିଲା ଭଳି ରେଳପଥରେ ମଧ୍ୟ ହାତୀ ଓ ରେଳଗାଡ଼ି ଏକାଠି ଚାଲିବା ପାଇଁ ରେଳ ବିଭାଗ ପକ୍ଷରୁ ଅଣ୍ଡର ପାସ୍ କରାଯିବାର ଅତି ଆବଶ୍ୟକତା ରହିଛି ବୋଲି ହାତୀପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।