Sat. Mar 7th, 2026

ଏଚ୍ଆଇଭି ସଂକ୍ରମିତ ଉପକରଣରେ ହୋଇଛି ୧୨ ରୋଗୀଙ୍କ ଅସ୍ତ୍ରୋପଚାର !

215 Views

ସମ୍ବଲପୁର  :  ବୁର୍ଲା ସ୍ଥିତ ଭିମ୍‌ସାର୍‌ରେ ଏଚ୍ଆଇଭି ସଂକ୍ରମିତ ଉପକରଣରେ ୧୨ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ଦନ୍ତ ଚିକିତ୍ସା ବିଭାଗରୁ ଏଭଳି ଅଭିଯୋଗ ଆସିଥିବା ବେଳେ ବିଭାଗୀୟ ମୁଖ୍ୟ ଘଟଣା ସଂପର୍କରେ ଭିମ୍‌ସାର ଡିନ୍ ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ ଯେଉଁ ଡାକ୍ତରଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି, ସେ ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସୋମବାର ଦିନ ଦନ୍ତ ଚିକିତ୍ସା ବିଭାଗରେ ଜଣେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କୁ ଅସ୍ତ୍ରୋପଚାର କରିବା ପୂର୍ବରୁ ଯେଉଁ ସବୁ ଗାଇଡ୍ ଲାଇନ୍‌ ଅନୁସରଣ କରିବା କଥା, ତାହା କରାଯାଇ ନଥିଲା। ତାଙ୍କୁ ଅପରେସନ୍ କରିବା ପରେ ଡାକ୍ତର ଆଉ ୧୨ ଜଣଙ୍କ ଅପରେସନ୍ କରିଥିଲେ। ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିଙ୍କର ଅପରେସନ୍‌ ଯେଉଁ ଉପକରଣରେ କରାଯାଇଥିଲା ସେଥିରେ ଅନ୍ୟମାନଙ୍କ ଅପରେସନ୍ ମଧ୍ୟ କରାଯାଇଥିଲା। ଏହା ଦ୍ୱାରା ସେହି ଲୋକମାନଙ୍କୁ ଏଚ୍‌ଆଇଭି ସଂକ୍ରମିତ ହେବାର ଆଶଙ୍କା ରହିଛି।

ଏ କଥା ଜଣା ପଡ଼ିବା ପରେ ପୂରା ଦନ୍ତ ବିଭାଗକୁ ବନ୍ଦ କରାଯାଇ ଷ୍ଟେରିଲାଇଜେସନ୍‌ କରାଯାଇଛି। ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଏ ସଂପର୍କରେ ଭିମସାର ଡିନ୍ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ଅବଗତ କରାଇଥିବା ବେଳେ ସଂପୃକ୍ତ ଡାକ୍ତର ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ନିଜ ପକ୍ଷ ରଖି ସେ କହିଛନ୍ତି ଯେ ପ୍ରଥମ ରୋଗୀ ଜଣଙ୍କ ଏଚ୍ଆଇଭି ଆକ୍ରାନ୍ତ ବୋଲି ସେ ଜାଣି ନଥିଲେ। ସର୍ଜରୀ ବିଭାଗ ପକ୍ଷରୁ ଏ ସଂପର୍କରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅସ୍ତ୍ରୋପଚାରରେ ବ୍ୟବହୃତ ଉପକରଣକୁ ନର୍ସ ଓ ଆଟେଣ୍ଡାଣ୍ଟମାନେ ସଫା କରିଥା’ନ୍ତି। ହେଲେ ଓଟି ଭିତର କଥା ବାହାରକୁ କିପରି ଯାଉଛି, ତାହା ଜଣା ପଡ଼ୁନି। ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଥିବା ଜଣାପଡ଼ୁଛି।

By amfnews

Related Post