Thu. Dec 26th, 2024

ଏକ ଉଜ୍ୱଳ ଜ୍ୟୋତିଷ୍କଙ୍କ ବିଲୟ ହେଲା – ବିଧାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରଘୁନାଥପାଲୀ ବିଧାୟକଙ୍କ ଶୋକ

rklsanchar@gmail.com' By J.N. Pradhan Aug 17, 2018 #Featured
167 Views

ରାଉରକେଲା, ୧୭ା୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଦେଶର ଏକ ଉଜ୍ୱଳ ଜ୍ୟୋତିଷ୍କଙ୍କ ବିଲୟ ଘଟିଲା ବୋଲି ରଘୁନାଥପାଲୀ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସନ୍ଧ୍ୟାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗ ହୋଇଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶରେ ଶୋକରଛାୟା ଖେଳି ଯାଇଥିଲା ।

ବାଜପେୟୀଙ୍କ ବିୟୋଗରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜେଡି ମଧ୍ୟରେ ଶୋକର ଛାୟା ଖେଲି ଯାଇଥିଲା । ଏଭଳି ଦୁଃଖଦ ଖବର ପାଇ ବିଧାୟକ ଶ୍ରୀ ତରାଇ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ଦେଶରେ ୩ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ସ୍ୱର୍ଗତ ବାଜପେୟୀ କେବଳ ଜଣେ ଦକ୍ଷ ରାଜନୀତିଜ୍ଞ ନଥିଲେ । ସେ ଥିଲେ ଜଣେ ନିରଳସ, କର୍ମପ୍ରବଣ, ନିରାଡମ୍ବର ବ୍ୟକ୍ତିତ୍ୱର ଅଧିକାରୀ । ଦେଶ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିବାବେଳେ ଦେଶବାସୀଙ୍କ ପ୍ରତି ଥିଲା ତାଙ୍କର ଗଭୀର ଆତ୍ମୀୟତା । ସେ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ଥିବାବେଳେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ । ସେ ଥିଲେ ଜଣେ ବିଶିଷ୍ଟ କବି ।

ସେ ଅଦ୍ୱିତୀୟ ଓ ଅତୁଲ୍ୟ । ସେ ସମଗ୍ର ଦେଶବାସୀଙ୍କ ପାଇଁ ଚୀରସ୍ମରଣୀୟ ହୋଇ ରହିବେ । ତାଙ୍କ ବିୟୋଗରେ ସମଗ୍ର ଦେଶରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଲା ତାହା ଅପୂରଣୀୟ । ସେହି ମହାନ ପୁରୁଷ, ଜନନାୟକ, ଭାରତରତ୍ନ, ପଦ୍ମବିଭୂଷଣ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ବିଧାୟକ ଶ୍ରୀ ତରାଇଙ୍କ ସମେତ ନଗର ସଭାପତି ସୁଧୀର ସୁନ୍ଦରରାୟ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Related Post