258 Views
ଭୁବନେଶ୍ୱର, ଜୁଲାଇ ୮: ଦେଶରେ ଏକକ ନିର୍ବାଚନ ସପକ୍ଷରେ ବିଜୁ ଜନତା ଦଳ । ଏକ ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପ୍ରସ୍ତାବ ପ୍ରସଙ୍ଗରେ ଆଗାମୀ ୧୦ ତାରିଖରେ ନିଜ ପକ୍ଷ ରଖିବ ଶାସକ ବିଜେଡି । ଲ’ କମିଶନଙ୍କ ନିକଟରେ ପକ୍ଷ ରଖିବେ ଦଳର ସାଂସଦ ଶ୍ରୀ ପିନାକୀ ମିଶ୍ର ।
ତେବେ ପକ୍ଷ ରଖିବା ନେଇ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି କି, ଏକତ୍ର ନିର୍ବାଚନର ମୂଳ ପ୍ରବର୍ତକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ୨୦୦୪ ମସିହାରେ ଏକତ୍ର ନିର୍ବାଚନ ପାଇଁ ବ୍ୟବସ୍ଥା କରିଥିଲେ । ଏପରି କି ଏକତ୍ର ନିର୍ବାଚନ କରିବା ପାଇଁ ନବୀନ ନିଜ ସରକାରକୁ ଏକ ବର୍ଷ ପୂର୍ବରୁ ଭାଙ୍ଗି ଦେଇଥିଲେ । ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଏଭଳି ସାହସିକ ପଦକ୍ଷେପ ନେଇଥିଲେ ବୋଲି କହିଛନ୍ତି ଶ୍ରୀ ମିଶ୍ର । ତାଙ୍କ ଦଳ ଅର୍ଥାତ ବିଜେଡି ଏକକ ନିର୍ବାଚନକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରେ ବୋଲି ପିନାକୀ କହିଛନ୍ତି ।
ସୂଚନାଯୋଗ୍ୟ କି, କିଛି ଦିନ ଧରି ଦେଶର ସମସ୍ତ ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହେବାନେଇ ଚର୍ଚ୍ଚା ଯୋର ଧରିଛି । କେତେକ ରାଜନୈତିକ ଦଳ ଏହାକୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ଦଳ ଏହାକୁ କଡା ବିରୋଧ କରୁଛନ୍ତି ।