Sat. Mar 7th, 2026

ଊତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ଗୁରୁତର ଅସୁସ୍ଥ!

326 Views

ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ହେଲେ ଉତ୍ତର କୋରିଆ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ। କିମ ଜଙ୍ଗ ଉନ ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିବା ପରେ ପଡ଼ୋଶୀ ଦକ୍ଷିଣ କୋରିଆ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଦେଇଛି।

ଆମେରିକା ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନିକଟରେ କିମ ଜଙ୍ଗ ଉନ ହାର୍ଟ ସର୍ଜରୀ କରିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ଏଇ କିଛି ଦିନ ହେଲା ସେ ଅଧିକ ଗୁରୁତର ହୋଇ ପଡ଼ିଛନ୍ତି। ଏଥିପାଇଁ ସେ ଘରୁ ବାହାରି ପାରୁନାହାନ୍ତି।

ଅସୁସ୍ଥତା କାରଣରୁ ସେ ଏପ୍ରିଲ ୧୫ରେ ନିଜ ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇ ନଥିଲେ। ପ୍ରତିବର୍ଷ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ହେଲେ ଚଳିତ ବର୍ଷ ସେ ଯୋଗ ନ ଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଚର୍ଚ୍ଚା ମଧ୍ୟରେ ଆମେରିକା ଗଣମାଧ୍ୟମ କିମ ଜଙ୍ଗ ଉନ ଗୁରୁତର ଅସୁସ୍ଥ ଥିବା ଖବର ପ୍ରକାଶ କରିଛି।

ଅନ୍ୟପକ୍ଷରେ ଇଣ୍ଟର କୋରିଆନ ବ୍ୟାପାର ପାଇଁ କାର୍ଯ୍ୟ କରୁଥିବା ୟୁନିଫିକସନ ମନ୍ତ୍ରଣାଳୟ, ତୁରନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ତେବେ ଦକ୍ଷିଣ କୋରିଆର ୟୁନିଫିକସନ ମନ୍ତ୍ରଣାଳୟର କର୍ମଚାରୀ ଓ ଜାତୀୟ ଗୁଇନ୍ଦା ସଂସ୍ଥା ରିପୋର୍ଟର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି।

By amfnews

Related Post