Wed. Nov 20th, 2024

ଉତ୍ପାଦନ ହେଉଛି ଅନୁକୂଳ ରକ୍ଷଣାବେକ୍ଷଣ ଏବଂ ସଠିକ୍ ମନୋଭାବର ଫଳାଫଳ : ସିଇଓ

By amfnews Nov 8, 2018 #Featured
146 Views

ରାଉରକେଲା, ୮ା୧୧  : “ଉତ୍ପାଦନ ହେଉଛି ଅନୁକୂଳ ରକ୍ଷଣାବେକ୍ଷଣ ଏବଂ ସଠିକ୍ ମନୋଭାବର ଫଳାଫଳ” ବୋଲି ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ନଭେମ୍ବର ୫ ତାରଖ ଦିନ ଏଚ୍ଆରଡି ଠାରେ ଅନୁଷ୍ଠିତ ତାଲମେଲ ଅଧିବେଶନରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପି କେ ପ୍ରଧାନ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଏବଂ ସର୍ଭିସେସ ଓ ୟୁଟିଲିଟି ବିଭାଗର ଜିଏମ୍ ଇନଚାର୍ଜ ଗୌତମ ବେନର୍ଜୀ ପ୍ରମୁଖ ମଞ୍ଚାସୀନ ଥିଲେ ।

କାରଖାନାର ବିଭିନ୍ନ ବିଭାଗରୁ ୮୦ ଜଣ ଅଧିକାରୀ ଏଥିରେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, ନିଜ ନିଜ କାର୍ଯ୍ୟାଞ୍ଚଳରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ମଧ୍ୟରେ ଏକ ଗୁରୁଦାୟିତ୍ୱ ବହନ କରିବା ସହ ମନୋଭାବକୁ ଅଧିକ ସଶକ୍ତିକରଣ କରିବା ଲକ୍ଷ୍ୟରେ ମାନବ ସମ୍ବଳ ପ୍ରୟାସ ‘ତାଲମେଲ’ କାର୍ଯ୍ୟକ୍ରମ ନିୟମିତ ଭାବେ କାରଖାନାରେ ଅନୁଷ୍ଠିତ ହେଉଅଛି । ଏହି ଅଧିବେଶନଗୁଡିକରେ ସେମାନେ ଖୋଲାଖୋଲି ଭାବେ ନିଜର ଅବଧାରଣା ଓ ସମସ୍ୟା ଆଦି ସିଇଓଙ୍କ ସହିତ ଆଲୋଚନା କରିଥାଆନ୍ତି ।

ସିଇଓ ନିଜର ବକ୍ତବ୍ୟରେ ଆରଏସପି ସାମୁଦାୟିକ ନିଜର ପ୍ରୟାସ ଫଳରେ ସମଗ୍ର ସେଲ୍ରେ ଆରଏସପିକୁ ଦ୍ୱିତୀୟ ଶ୍ରେଷ୍ଠ ଲାଭାର୍ଜନକାରୀ ସଂସ୍ଥା ରୂପେ ପରିଣତ କରିପାରିଥିବାରୁ ଆରଏସପି ସାମୁଦାୟିକଙ୍କ ଭୂୟସୀ ପ୍ରଶଂସା କରିଥିଲେ । କମ୍ପାନୀର ଉତ୍ପାଦନ, ସାଫଲ୍ୟ ଓ ଉତ୍ପାଦକତା କ୍ଷେତ୍ରରେ ବିଶେଷ ଭାବେ ହଟ୍ ଷ୍ଟ୍ରିପ ମିଲ ଏବଂ ନୂତନ ପ୍ଲେଟ ମିଲ ପକ୍ଷରୁ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ନିମନ୍ତେ ମଧ୍ୟ ସେ ବେଶ୍ ପ୍ରଶଂସା କରିଥିଲେ । ଅନୁକୂଳ ଯନ୍ତ୍ରପାତି ଏବଂ ଏହାର ଉପଲବ୍ଧତା ସମ୍ପର୍କରେ ସିଇଓ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସ୍ୱଚ୍ଛତା, ସମୟୋଚିତ ସମସ୍ୟା ଚିହ୍ନଟ, ଏହାର ମୂଳକାରଣ ଏବଂ ବିନା ବିଳମ୍ବରେ ଏହାର ପ୍ରତିକାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

‘ଥୋଡା ବାଲା’ ଅଥବା ସର୍ଟକଟ ପ୍ରସଙ୍ଗ ଉପରେ ଦୃଷ୍ଟିନିକ୍ଷେପ କରି ଶ୍ରୀ କୁମାର ସମସ୍ତଙ୍କୁ ଆଗେଇ ଆସିବା ପାଇଁ ଆହ୍ୱାନ କରିବା ସହ ସୁରକ୍ଷା, ଯନ୍ତ୍ରପାତି ଏବଂ ମାନବ ସ୍ୱାସ୍ଥ୍ୟର ବିହିତ ଯତ୍ନ ନେବା ଉପରେ ସୂଚନା ଦେଇଥିଲେ । ସିଇଓଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣକାରୀମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତବିନିମୟ କରିଥିଲେ । ସିପିଟିଆଇର ଡିଜିଏମ ଶ୍ରୀ ସାଗର ମହାନ୍ତି, ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଏହି କାର୍ଯ୍ୟକ୍ରମର ମଧ୍ୟ ସଂଚାଳନ କରିଥିଲେ ।

By amfnews

Related Post