ଲଖନଉ, ଏପ୍ରିଲ ୨୪ : ଉତ୍ତର ପ୍ରଦେଶରେ ଶୁକ୍ରବାର କ୍ଷମତାସୀନ ବିଜେପିର ୨ ଜଣ ବିଧାୟକଙ୍କ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଛି । ବିଜେପିର ଲଖନଉ (ପଶ୍ଚିମ) ବିଧାୟକ ସୁରେଶ କୁମାର ଶ୍ରୀବାସ୍ତବ (୭୬) ଶୁକ୍ରବାର ସନ୍ଧ୍ୟାରେ ଏକ ହସ୍ପିଟାଲରେ ପରଲୋକ ହୋଇଛି । ଏହା ପୂର୍ବରୁ ସକାଳୁ ଔରେୟା ଜିଲ୍ଲ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ରମେଶ ଚନ୍ଦ୍ର ଦିୱାକର (୫୬)ଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।
ବିଜେପି ମୁଖପାତ୍ର ହରିଶ୍ଚନ୍ଦ୍ର ଶ୍ରୀବାସ୍ତବ ଶୁକ୍ରବାର କହିଛନ୍ତି ଯେ, ଲଖନଉ ପଶ୍ଚିମ ବିଧାୟକ ସୁରେଶ କୁମାର ଶ୍ରୀବାସ୍ତବ ଲଖନଉର ସଂଜୟ ଗାନ୍ଧୀ ଆୟୁର୍ବେଦିକ ପ୍ରତିଷ୍ଠାନରେ ଚିକିତ୍ସା ସମୟରେ ପରଲୋକ ଗମନ କରିଥିଲେ । ଶ୍ରୀବାସ୍ତବ ୨ ନେତାଙ୍କର ବିୟୋଗରେ ଶୋକ ଜଣାଇଛନ୍ତି ।
ଶ୍ରୀବାସ୍ତବଙ୍କ ପରଲୋକରେ ଲଖନଉରୁ ସାଂସଦ ଏବଂ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ କରି ନିଜର ସମ୍ବେଦନା ପ୍ରକଟ କରିଛନ୍ତି । ସିଂହ କହିଛନ୍ତି ଯେ, ଲଖନଉ ସହରର ବିଧାୟକ ଏବଂ ଉତ୍ତର ପ୍ରଦେଶ ବିଜେପିର ବରିଷ୍ଠ ନେତା ସୁରେଶ ଶ୍ରୀବାସ୍ତଙ୍କ ନିଧନ ଖବର ଶୁଣି ବହୁତ ଆଘାତ ଦେଇଛି । ଜନପ୍ରତିନିଧି ଭାବେ ତାଙ୍କର ବ୍ୟବହାର, ସରଳତା ଏବଂ କର୍ତ୍ତବ୍ୟ ପରାୟଣତା ସବୁବେଳେ ମନେ ରହିବ । ଶୋକାକୁଳ ପରିବାରକୁ ସମବେଦନା ଜଣାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ୨ ଜଣ ବିଜେପି ବିଧାୟକଙ୍କ ପରଲୋକରେ ଶୋକ ଜଣାଇଛନ୍ତି ।