Sat. Mar 7th, 2026

ଉତ୍ତର ପ୍ରଦେଶର ମୁଜାଫର ନଗରରେ ପ୍ରବାସୀ ଶ୍ରମିକଙ୍କ ଉପରେ ଚଢ଼ିଗଲା ବସ୍; ୬ ମୃତ, ୪ ଆହତ

225 Views

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଜାଫର ନଗରରୁ ଚାଲି ଚାଲି ବିହାର ଯାଉଥିବା କେତେକ ପ୍ରବାସୀ ଶ୍ରମିକଙ୍କ ଉପରେ ବୁଧବାର ବିଳମ୍ବିତ ରାତ୍ରୀରେ ଗୋଟାଏ ବସ୍ ଚଢ଼ିଯିବାରୁ ୬ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

ରାତି ପ୍ରାୟ ୧୧ଟା ବେଳେ ମୁଜାଫରନଗର-ସାହରଣପୁର ରାଜ୍ୟ ରାଜପଥରେ ନଗର କୋଟୱାଲି ଠାରେ ଏହି ଦୁର୍ଘଟଣା ଘଟିଛି। ମୃତାହତ ଶ୍ରମିକମାନେ ଦିନ ମଜୁରିଆ ଭାବେ ପଞ୍ଜାବରେ କାମ କରୁଥିଲେ। ଲକ୍‌ଡାଉନ୍ ଯୋଗୁଁ ସେମାନେ ଚାଲି ଚାଲି ବିହାର ଅନ୍ତର୍ଗତ ଗୋପାଳଗଞ୍ଜରେ ଥିବା ସେମାନଙ୍କ ଘରକୁ ଫେରୁଥିଲେ।

ବସ୍ ଚାପାରେ ୬ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ଜଣ ଆହତ ହୋଇଛନ୍ତି ବୋଲି ମିରଟ୍ ଜୋନ୍ ଏଡିଜି ପ୍ରଶାନ୍ତ କୁମାର ସୁନିଶ୍ଚିତ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସେ ବସ୍ ଡ୍ରାଇଭର୍ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଠାରେ ସ୍ମରଣଯୋଗ୍ୟ ଯେ ମେ ୮ ତାରିଖ ଦିନ ମହାରାଷ୍ଟ୍ରର ଔରଙ୍ଗାବାଦ ଅନ୍ତର୍ଗତ କର୍ମାଡ୍‌ ଠାରେ ଗୋଟାଏ ମାଲବାହୀ ଟ୍ରେନ୍ ଚାପାରେ ୧୬ଜଣ ପ୍ରବାସୀ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଏଥିରେ ଅଳ୍ପ କେତେ ଜଣ ଶ୍ରମିକ ଆହତ ମଧ୍ୟ ହୋଇଥିଲେ।

By amfnews

Related Post