Sat. Mar 7th, 2026

ଉଜୁଡ଼ା ଫସଲ ଚିନ୍ତାରେ ବିଷ ପିଇଲେ ଚାଷୀ

320 Views

କେନ୍ଦ୍ରାପଡ଼ା, ନଭେମ୍ବର ୧୭:କେନ୍ଦ୍ରାପଡ଼ା ତିନିମୁହାଣି ରାମମନ୍ଦିର ପଛପାଖ ଗୋବରୀ ନଦୀ କୂଳରେ ଗୌରାଙ୍ଗ ଚନ୍ଦ୍ର କାପ(୫୮) ନାମକ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।  ମୃତ ଚାଷୀଙ୍କ ଘର ପଟ୍ଟାମୁଣ୍ତାଇର ନପଙ୍ଗ ଗ୍ରାମରେ ବୋଲି ଜଣାପଡ଼ିଛି। ଏହି ଘଟଣା ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଥିବା ବେଳେ ଜିଲ୍ଲାପାଳ ଦାଶରଥୀ ଶତପଥୀ ପଟ୍ଟାମୁଣ୍ତାଇ ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୌରାଙ୍ଗଙ୍କ କୌଣସି ଜମିବାଡ଼ି ନାହିଁ। ସେ ଧାରକରଜ କରି ନସିପୁର ଗ୍ରାମର ଶିବରାମ ଦାଶଙ୍କ ୩ ଏକର ଜମିରେ ଧାନ ଚାଷ କରିଥିଲେ। ଚଳିତ ବର୍ଷ ଲଗାଣ ବର୍ଷା ଓ ପରେ ‘ତିତଲି’ ବର୍ଷା ମାଡ଼ରେ ତାଙ୍କର ଧାନ ଚାଷ ଜମି ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ନପଙ୍ଗ ଗ୍ରାମର ବୁଢ଼ି ଜାଗୁଳାଇ କୃଷକ ସ˚ଘ ସଭାପତି ବାବୁରାମ ନାୟକ କହିଛନ୍ତି ଯେ, ଲଗାଣ ବର୍ଷାଜନିତ କ୍ଷତି ଯୋଗୁ ଗୌରାଙ୍ଗ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସବୁବେଳେ ବିଶାଦଗ୍ରସ୍ତ ରହୁଥିଲେ। ଧାରକରଜ ଟଙ୍କା ପରିଶୋଧ କରିବା ଚିନ୍ତାରେ ଭାଙ୍ଗି ପଡ଼ିଥିଲେ।

ଏପରିକି ଧାର ଟଙ୍କା ପାଇଁ ଗୌରାଙ୍ଗଙ୍କ ପରିବାରରେ ଅଧିକା˚ଶ ସମୟ ଝଗଡ଼ା ଲାଗି ରହୁଥିଲା ବୋଲି ତାଙ୍କ ପତ୍ନୀ ଜାନକୀ କାନ୍ଦି କାନ୍ଦି କହିଛନ୍ତି। ତେବେ ଆଜି ସକାଳୁ ସେ ହଠାତ୍‌ ଘରୁ କାହାକୁ କିଛି ନ କହି ବାହାରି ଆସିଥିଲେ କେନ୍ଦ୍ରାପଡ଼ା। ସ˚ଧୢାରେ ରାମ ମନ୍ଦିର ପଛପାଖ ଗୋବରୀ ନିକଟରେ ପଡ଼ିଥିବା ଦେଖିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କୁ ମୃତଘୋଷଣା କରାଯାଇଥିଲା। ପୁଲିସ୍‌ ଶବ ଜବତ କରିଥିବା ବେଳେ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି

By amfnews

Related Post