Sun. Mar 8th, 2026

ଉଛୁଳା ନଈ ପାର୍‌ ହୋଇ ସ୍କୁଲ ଯାଉଛନ୍ତି ଶିକ୍ଷୟିତ୍ରୀ

271 Views

ଢେଙ୍କାନାଳ :  ବର୍ଷା ଋତୁରେ ଉଛୁଳା ସାପୁଆ ନଈ। ସେଥିରେ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସ୍କୁଲ ଯାଉଛନ୍ତି ଜଣେ ଶିକ୍ଷୟିତ୍ରୀ। ଏହା ଗୋଟିଏ ଦିନର କଥା ନୁହେଁ, ଦୀର୍ଘ ୧୦ ବର୍ଷ ଧରି ସେ ଏମିତି ବିପଦପୂର୍ଣ୍ଣ ଭାବେ ସ୍କୁଲ ଯାଇ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସେ ହେଉଛି ବିନୋଦିନୀ ସାମଲ। ସ୍କୁଲ୍‌ ଦିଦିଙ୍କ ନଈ ପାର୍‌ ହେବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ଅଭିନନ୍ଦନର ଶୁଅ ଛୁଟୁଛି।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଜରିପାଳ ଗାଁ ବିନୋଦିନୀ ସାମଲ୍‌ଙ୍କ ଘର। ସେ ବର୍ତ୍ତମାନ ରଥିଆପାଳ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି। ବିନା ଛୁଟିରେ ସେ ପ୍ରତିଦିନ ସ୍କୁଲକୁ ଯାଇଥାଆନ୍ତି। ହେଲେ ଦୁଇ ଗାଁ ମଝିରେ ପ୍ରବାହିତ ସାପୁଆ ନଈ ତାଙ୍କ ରାସ୍ତାରେ ପ୍ରତିବନ୍ଧକ ସାଜେ। ବର୍ଷା ଋତୁ ଆସିଲେ କଥା ସରିଲା। ବର୍ଷା ଋତୁରେ ସାପୁଆ ନଈରେ ବଢ଼ି ପାଣି ଆସେ। ଆଉ ବିନୋଦିନୀ ଜୀବନକୁ ବାଜି ଲଗାଇ ଉଛୁଳା ନଦୀ ପାର୍‌ ହୋଇ ସ୍କୁଲ ଯାହାନ୍ତି। ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ ସେ ବେକେ ପାଣିରେ ପଶି ନଈ ପାର୍‌ ହୋଇ ସ୍କୁଲରେ ପହଞ୍ଚି ପିଲାମାନଙ୍କୁ ପାଠ ପଢ଼ାନ୍ତି। ସାପୁଆ ନଈ ଉପରେ ବ୍ରିଜ୍‌ ନଥିବାରୁ ଦୀର୍ଘ ୧୦ ବର୍ଷ ଧରି ବିନୋଦିନୀ ଉଛୁଳା ନଦୀ ପାର ହେଉଛନ୍ତି।

ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଶିକ୍ଷୟିତ୍ରୀ ବିନୋଦିନୀ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି-“ଦୀର୍ଘ ୧୦ ବର୍ଷ ହେଲା ବିନା ଛୁଟିରେ କାମ କରୁଥିବା ଢେଙ୍କାନାଳର ବିନୋଦିନୀ ସାମଲ ଉଛୁଳା ନଈରେ ପଶି ସ୍କୁଲରେ ପହଞ୍ଚିବା ଖବର ଗଣମାଧ୍ୟମରୁ ଜାଣିବାକୁ ପାଇଲି। ବିନୋଦିନୀଙ୍କ କାର୍ଯ୍ୟଶୈଳୀ ଓ କର୍ତ୍ତବ୍ୟ ପରାୟଣତା ନିଶ୍ଚିତ ଭାବେ ଶିକ୍ଷାଦାନ କରୁଥିବା ଲୋକମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ।”

By amfnews

Related Post