Tue. Dec 24th, 2024

ଉଗ୍ରବାଦୀଙ୍କ ଆକ୍ରମଣରେ 3 ଭାରତୀୟ ଯବାନ ସହୀଦ

By amfnews Jul 31, 2020 #Featured
171 Views

ଇମ୍ପାଲ, ଜୁଲାଇ ୩୦ : ମଣିପୁରରେ ଭାରତୀୟ ସେନା ଯବାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ତିନିଜଣ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ 6 ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ବୁଧବାର ରାତି ପ୍ରାୟ 1.15 ସମୟରେ ରାଜଧାନୀ ଇମ୍ଫାଲଠାରୁ 95 କିଲୋମିଟର ଦୂରରେ ଥିବା ଚାନ୍ଦେଲ ଜିଲ୍ଲାରେ ଏହି ଘଟଣା ଘଟିଛି । ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଛି ସେହି ଅଞ୍ଚଳ ଏକ ପାହାଡ଼ିଆ ଅଞ୍ଚଳ |

ଭାରତ-ମିଆଁମାର ସୀମାରେ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଅପରେସନ୍ ଚାଲିଥିବାବେଳେ 4ର୍ଥ ଆସାମ ରାଇଫଲର ତିନି ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀମାନେ ଯବାନ ମାନଙ୍କ ଉପରେ ଆମ୍ୱୁସ ଲଗାଇ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ 6 ଜଣ ସୈନିକ ଆହତ ହୋଇଛନ୍ତି, ଯେଉଁମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂତ୍ରରୁ ପ୍ରକାଶ ଯେ ମଣିପୁରର ସ୍ଥାନୀୟ ସନ୍ତ୍ରାସବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ୍ ଆର୍ମି ଏହି ଆକ୍ରମଣ କରିଛି । ଉଗ୍ରବାଦୀଙ୍କ ସନ୍ଧାନରେ ସେନା ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି । ଏହା ସହ ଭାରତ-ମିଆଁମାର ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି।

By amfnews

Related Post