Sat. Mar 7th, 2026

ଇସ୍ପାତ ଡିପ୍ଲୋମା ଯନ୍ତ୍ରୀଙ୍କ ୧୨ ଘଣ୍ଟିଆ ଗଣଧାରଣା ଅନୁଷ୍ଠିତ

262 Views

ରାଉରକେଲା, ୬ା୧ : ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍)ରେ କାର୍ଯ୍ୟରତ ଡିପ୍ଲୋମା ଯନ୍ତ୍ରୀମାନେ ସେମାନଙ୍କ ଦାବିପୂରଣ ପାଇଁ ସ୍ଥାନୀୟ ବିଶ୍ରା ଛକଠାରେ ୧୨ ଘଣ୍ଟିଆ ଗଣଧାରଣା କରିଛନ୍ତି । ଭାରତୀୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକ ବିରଣ ଉଦ୍ୟୋଗ ଯେଉଁଠି ଡିପ୍ଲୋମା ଧାରୀମାନଙ୍କୁ ଜୁନିୟର ଇଞ୍ଜିନିୟର ପଦବୀରେ ଅବସ୍ଥାପିତ କରାନଯାଇ ଟେକ୍ନିସିଆନ ପଦବୀରେ ଅବସ୍ଥାପିତ କରାଯାଉଛି । ଯେଉଁ ପଦନାମରେ ଚାକିରୀ ଆରମ୍ଭ କରନ୍ତି ସେହି ପଦନାମରେ ଅବସର ଗ୍ରହଣ କରନ୍ତି ।

କଟା ଘା’ରେ ଚୂନ ଦେବା ସଦୃଶ ୨୦୦୮ରୁ ସେଲ୍ ମ୍ୟାନେଜମେଣ୍ଟ ଡିପ୍ଲୋମା ଯନ୍ତ୍ରୀଙ୍କୁ ୧୨ ବର୍ଷ ପଦାବନତି କରି ଏସ୍-୬ ବଦଳରେ ଏସ୍-୩ରେ ଭର୍ତ୍ତି କରୁଛି । ଡିପ୍ଲୋମାମାନଙ୍କର ପଦବୀ, ପଦୋନ୍ନତି ତଥା ପଦାବନତି ଆଦି ବହୁ ସମସ୍ୟାରେ ଅତିଷ୍ଠ ହୋଇ ଡିପ୍ଲୋମା ଯନ୍ତ୍ରୀ ଇସ୍ପାତ ମହାସଂଘ, କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ତଥା ସେଲ୍ କର୍ପୋରେଟ୍ ନିକଟରେ ଲଗାତର ଦାବି ଉପସ୍ଥିପନ କରିବାରୁ କେନ୍ଦ୍ର ସରକାର ଡିପ୍ଲୋମା ଯନ୍ତ୍ରୀଙ୍କୁ ଅନ୍ୟାନ୍ୟ ସରକାରୀ ସଂସ୍ଥା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭଳି କନିଷ୍ଠ ଯନ୍ତ୍ରୀ ପଦବୀରେ ଅବସ୍ଥାପିତ ଓ ପଦୋନ୍ନତି ପାଇଁ ଏକ ଐତିହାସିକ ନିର୍ଦ୍ଦେଶନାମା ଗତ ୧.୦୫.୨୦୧୭ରେ ସେଲ୍ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଜାରି କରିଥିଲେ ।

ଡେଫି ଓ ପ୍ରତ୍ୟେକ ଡିପ୍ଲୋମା ଯନ୍ତ୍ରୀଙ୍କ ମିଳିତ ଉଦ୍ୟମରେ ପଦବୀ ପରିବର୍ତ୍ତନ ପ୍ରକ୍ରିୟା ଏନ୍ଆର୍ସି କମିଟି ଓ ସେଲ୍ ବୋର୍ଡରେ ବହୁ ବିଳମ୍ବରେ ହେଲେ ମଧ୍ୟ ପାରିତ ହୋଇଥିଲା । କିନ୍ତୁ ପରିତାପର ବିଷୟ ଯେ, ସେଲ୍ ମ୍ୟାନେଜମେଣ୍ଟ ଏହାକୁ କାର୍ଯ୍ୟକାରୀ ନ କରି ଅଧିକ ବିଳମ୍ବ କରିବା ଉଦ୍ଦେଶ୍ୟରେ ପୁନଶ୍ଚ ଏକ ଏନ୍ଜେସିଏସ୍ ସବ୍କମିଟି ଗଠନ କରିଛି । ସେଲ୍ କର୍ତ୍ତୃପକ୍ଷଙ୍କ ଅନୀତି ଓ ସ୍ୱେଚ୍ଛାଚାରିତାରେ ଅତିଷ୍ଠ ଡିପ୍ଲୋମା ଯନ୍ତ୍ରୀମାନେ ଚଳିତ ମାସ ୪ ତାରିଖରେ ଡେଫି ଆହ୍ୱାନରେ ସର୍ବଭାରତୀୟ ସ୍ତରରେ ସେଲ୍ର ବିଭିନ୍ନ ୟୁନିଟ୍ରେ ସକାଳ ସାଢେ ୭ଟାରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ବିଶାଳ ଗଣଧାରଣାରେ ସାମିଲ୍ ହେବେ ।

ଡେଫିର ଅଂଶବିଶେଷ ରାଉରକେଲା ଇସ୍ପାତ କାରଖାନା ଡିପ୍ଲୋମା ଯନ୍ତ୍ରୀ ସଂଘ (ଡିଅର) ତରଫରୁ ସ୍ଥାନୀୟ ବିଶ୍ରା ଛକଠାରେ ଏହି ବିଶାଳ ଗଣଧାରଣା କରାଯିବ । ଏଥିରେ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ସମସ୍ତ ଡିପ୍ଲୋମା ଯନ୍ତ୍ରୀମାନଙ୍କୁ ସାମିଲ୍ ପାଇଁ ଡିଅର ତରଫରୁ ଆହ୍ୱାନ ଦିଆଯାଇଛି । ତେବେ ସେମାନଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଇସ୍ପାତ ଡିପ୍ଲୋମା ଯନ୍ତ୍ରୀ ମହାସଂଘ (ଡେଫି) ସାଧାରଣ ସମ୍ପାଦକ ନରେନ୍ଦ୍ର ଦାସ, ଆର୍ଏସ୍ି ଡିପ୍ଲୋମା ଯନ୍ତ୍ରୀ ସଂଘ (ଡିଅର) ସଭାପତି ରଶ୍ମୀ ରଞ୍ଜନ ଦାସଙ୍କ ନେତୃତ୍ୱରେ ଆୟୋଜିତ ଗଣଧାରଣାରେ ବହୁ ଡିପ୍ଲୋମା ଯନ୍ତ୍ରୀ ସାମିଲ୍ ହୋଇଥିଲେ ।

By amfnews

Related Post