Mon. Nov 25th, 2024

ଇସ୍ତାହାର ନୁହେଁ ନେତୃତ୍ୱର ଆକର୍ଷଣ ହିଁ ଭରସା

By amfnews Mar 27, 2019 #Featured
352 Views

ପ୍ରଶାନ୍ତ ପଟ୍ଟନାୟକ

ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ ଭାବରେ କାର୍ଯ୍ୟ ନିର୍ଘଣ୍ଟ ଘୋଷଣା କରାଯିବା ପରେ ଉଭୟ ଜାତୀୟ ଓ ପ୍ରାନ୍ତୀୟ ଦଳ ଗୁଡ଼ିକ ନିଜନିଜର ରଣ କୌଶଳ ସ୍ଥିର କରି ଭୋଟ ଦାତାମାନଙ୍କୁ ପ୍ରଭାବିତ କରିବା ପାଇଁ ଅପ୍ରାଣ ଉଦ୍ୟମ ଆରମ୍ଭ କରିଛନ୍ତି । ଭୋଟ ଦାତାମାନଙ୍କର ଅଭାବ ଅସୁବିଧା ଦାବି ଗୁଡ଼ିକ ବିଚାରକୁ ନେଇ ରାଜନୈତିକ ଦଳମାନେ ସେମାନଙ୍କ ପ୍ରତିଶୃତିର ଲମ୍ବା ତାଲିକା ପ୍ରସ୍ତୁତ କରି ସେମାନେ ଶାସନ କ୍ଷମତାକୁ ଆସିଲେ ଭୋଟ ଦାତାମାନଙ୍କର ସବୁକିଛି ଅଭାବ ଅସୁବିଧା ପୂରଣ ହେବା ସହ ସୁଖ ଓ ସମୃଦ୍ଧିରେ ଜୀବନଜାପନ କରିବା ନିମନ୍ତେ ବ୍ୟବସ୍ଥା କରିବାର ପ୍ରତିଶୃତି ଦେଉଛନ୍ତି । କେଉଁଦଳ କୃଷିଋଣ ଛାଡ଼ କରି ଚାଷୀମାନଙ୍କୁ ଋଣ ଦାଉରୁ ମୁକ୍ତ କରି ପ୍ରତିଶୃତି ଦେଉଛନ୍ତି ଓ ଅନ୍ୟ କେଉଁଦଳ କୃଷକମନଙ୍କର ସୁଖ ଓ ସମୃଦ୍ଧି ପାଇଁ ପ୍ରତିଶୃତି ଦେଉଛନ୍ତି । ଏହିଭଳି ପ୍ରତିଶୃତିର ପ୍ରତିଯୋଗିତାରେ ଆମ ଦେଶର ଅଧିକାଂଶ ଅଭାବି ଭୋଟଦାତା ବିଶେଷ ମାତ୍ରାରେ ପ୍ରଭାବିତ ହେଉନଥିଲେ ମଧ୍ୟ ଅର୍ଥବଳ, ବାହୁବଳ ଏବଂ ମାଦକ ଦ୍ରବ୍ୟର ଶକ୍ତିରେ ସେମାନଙ୍କୁ ଅନାୟାସରେ କରାୟତ କରିବାଲାଗି ନେତାମାନେ ଉଦ୍ୟମ ଅବାହ୍ୟତ ରଖିଛନ୍ତି ।

ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶାସନ କ୍ଷମତାକୁ ଆସିବା ଲାଗି ଆଗ୍ରହି ଥିବା ରାଜନ÷ତିକ ଦଳଗୁଡ଼ିକ ଦେଶ ଓ ଜନସାଧାରଣଙ୍କ ପାଇଁ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିଥାନ୍ତି ଏବଂ ଏହା ହିଁ ଜନସମର୍ଥନ ହାସଲ କରିବାର ଏକମାତ୍ର ଚାବିକାଠି ହୋଇଥାଏ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସଂଖ୍ୟା ଗରିଷ୍ଠ ଦଳର ନିର୍ବାଚିତ ପ୍ରତିନିଧିମାନେ ଯାହାଙ୍କୁ ନେତା ଭାବରେ ନିର୍ବାଚିତ କରନ୍ତି ସେ ହିଁ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଅଥବା ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତି । ମାତ୍ର ଆମ ଦେଶରେ ଏଭଳି ସୁସ୍ଥ ଗଣତାନ୍ତ୍ରୀକ ପରମ୍ପରା କ୍ରମେ ଲୋପ ପାଇବା ପରିଲକ୍ଷିତ ହେଉଛି । କାରଣ ମୁଖ୍ୟ ରାକନୈତିକ ଦଳଗୁଡ଼ିକ ନିଜନିଜର ନିର୍ବାଚନ ଇସ୍ତାହାର ଆଧାରରେ ଭୋଟ ଦାତାମାନଙ୍କ ବିଶ୍ୱାସ ଭାର୍ଜନ ହେବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ଜଣେଜଣେ ନିର୍ଦ୍ଧିଷ୍ଟ ନେତାଙ୍କୁ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ କରାଇବା ଅଭିପ୍ରାୟରେ ଭୋଟ ଦାତାମାନଙ୍କୁ ପ୍ରଭାବିତ କରାଇବା ପାଇଁ ସମ୍ପ୍ରତି ଉଦ୍ୟମ ହେଉଛି । ଫଳରେ ରାଜନିତିକ ଦଳ ଗୁଡ଼ିକର ନୀତି, ଆଦର୍ଶ ଓ ଇସ୍ଥାହାର ଗୁଡ଼ିକ କ୍ରମଶଃ ଗୌଣ ହୋଇ ନିର୍ଦ୍ଧିଷ୍ଟ ନେତାମାନଙ୍କ ଶକ୍ତି, ସାମର୍ଥ୍ୟ, ପତିଆରା ଓ ଲୋକପ୍ରିୟତାକୁ ଆଧାର କରି ନିର୍ବାଚନ ଲଢ଼ାଯାଉଛି ।

ଦେଶର ଅର୍ଥନୀତି ଶିକ୍ଷା ସଂସ୍କୃତି ଓ ଜନଜୀବନ ପ୍ରତି କୌଣସି ଶ୍ରଦ୍ଧା ବା ଆନ୍ତରିକତା ନଥିବା ଏବଂ ଅନାୟାସରେ ପୁଞ୍ଜିପତିମାନଙ୍କ ସ୍ୱାସ୍ଥ୍ୟରକ୍ଷା ଲାଗି ପ୍ରଭାବିତ ହୋଇପାରୁଥିବା ତୁଙ୍ଗନେତାମାନଙ୍କୁ କରାୟତ କରି ଶାସନ କଳରୁ ସର୍ବାଧିକ ଫାଇଦା ଉଠାଇବା ପାଇଁ ଆଗ୍ରହି ବ୍ୟକ୍ତିମାନେ ସରକାରଙ୍କୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାର ଦେଖାଯାଉଛି ।
ଅଳ୍ପ ସମୟ ମଧ୍ୟରେ ଅଧିକ ଫାଇଦା ପାଇବା ଆଶାରେ ଭୋଟଦାତାମାନେ ଅନାୟସରେ ପ୍ରଭାବିତ ହୋଇଯାଉଥିବାରୁ ଦେଶ ଅଥବା ସାଧାରଣ ଜନତା ପ୍ରତି ସାମାନ୍ୟତମ ପ୍ରତିବଦ୍ଧତା ନଥିବା ରାଜନୈତିକ ଦଳ ଓ ନେତାମାନେ ଶାସନ ଗାଦି ଦଖଲ କରିବା କ୍ରମେ ସହଜସାଧ୍ୟ ହୋଇ ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ ଦଳମାନଙ୍କର ପ୍ରତିଶୃତିର ମହାବାତ୍ୟା ସମଗ୍ର ଦେଶକୁ ଅସ୍ଥିର କରିପକାଇଛି ।

ଭାରତରେ ଅମୂଲ୍ୟ ଖଣିଜ ସମ୍ପଦ, ଜଳସମ୍ପଦ, ବନ୍ୟସମ୍ପଦ, ପର୍ଯ୍ୟଟନ ସମ୍ପଦ, ପ୍ରାଣୀ ସମ୍ପଦ ଓ ଜନ ସମ୍ପଦର ଅଭାବ ନାହିଁ । ଆମ ଦେଶର ବହୁ ଶିକ୍ଷିତ ଯୁବକ ଯୁବତୀ, ବୈଜ୍ଞାନିକ, ଦକ୍ଷ ଓ କୁଷଳୀ ଡ଼ାକ୍ତର, ଇଞ୍ଜିନିୟର, ଆମେରିକା, ଇଂଲଣ୍ଡ , ସ୍କଟ୍ଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ରମାନଙ୍କରେ ମୁଣ୍ଡ ବିକ୍ରିକରି ସେମାନଙ୍କୁ ସମୃଦ୍ଧ କରିଛନ୍ତି ଓ କରୁଛନ୍ତି । ନିଜ ମାଟିର ମୋହ ଅପେକ୍ଷା ସମ୍ପଦ ଓ ସଂଭୋଗର ମୋହ ସେମାନଙ୍କ ନିକଟରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଉଠୁଛି । ଆମ ଦେଶର ଗଣତାନ୍ତ୍ରିକ ପରମ୍ପରା କ୍ରମେ ରୁଗ୍ଣ ହୋଇ ଉଠୁଥିବାରୁ ବହୁ ସଚେତନ ବୁଦ୍ଧିଜୀବି ଦେଶର ଗଣତାନ୍ତ୍ରୀକ, ସାମାଜିକ, ଅର୍ଥନୈତିକ ମାନଦଣ୍ଡକୁ ବଳିଷ୍ଠ କରିବା ଭଳି ଗୁରୁଦାଇତ୍ୱ ବହନ କରିବା ପରିବର୍ତ୍ତେ ଏଥିପ୍ରତି ବିମୁଖ ହୋଇପଡ଼ୁଛନ୍ତି । ଦେଶ ଶାସନ ଦାୟୀତ୍ୱରେ ଥିବା ପ୍ରତେକ ରାଜନେତା, ଅମଲାତନ୍ତ୍ରୀ ଓ ବୁଦ୍ଧିଜୀବି ଆଗାମୀ ନିର୍ବାଚନରେ ଦେଶର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସେମାନଙ୍କର ଜନପ୍ରତିନିଧି ନିର୍ବାଚିତ କରିପାରିଲେ ଭାରତ ନିଶ୍ଚିତ ଭାବରେ ବିଶ୍ୱର ଶ୍ରେଷ୍ଠ ଓ ସମୃଦ୍ଧିଶାଳୀ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ ହେବାର ଗୌରବ ହାସଲ କରିପାରିବ । ଦଳୀୟ ଇସ୍ତାହାର ଓ ନେତୃତ୍ୱ ସମପରିମାଣରେ ଅପରିହାର୍ଯ୍ୟ ହେବା ଏକାନ୍ତ ଆବଶ୍ୟକ ।

By amfnews

Related Post