Mon. May 19th, 2025

ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗିବା ଆଶଙ୍କା ଯୋଗୁଁ ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର

By amfnews Jan 5, 2020 #Featured
187 Views

ନୂଆଦିଲ୍ଲୀ: ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା କରି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବଢ଼ିଯିବାରୁ ରବିବାର ଦିନ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଆହୁରି ବୃଦ୍ଧି ପାଇଛି।

ଶୁକ୍ରବାର ଦିନ ଇରାନ୍‌ର ଶୀର୍ଷସ୍ତରୀୟ ଜେନେରାଲ୍‌ କାଶିମ୍‌ ସୁଲେମାନୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ହତ୍ୟା କରିବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସୁଲେମାନୀଙ୍କ ମୃତ୍ୟୁ ପରେ ବୃଦ୍ଧି ପାଇଥିବା ଉତ୍ତେଜନା ଯୋଗୁଁ ବିଶ୍ୱ ଷ୍ଟକ୍‌ ମାର୍କେଟ୍‌ରେ ଗୋଳମାଳିଆ ପରିସ୍ଥିତି ଉପୁଜିଛି।

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ୍‌ ଦେଇଥିବା ତଥ୍ୟ ଅନୁସାରେ, ପେଟ୍ରୋଲ୍‌ ଦର ଲିଟର ପିଛା ୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍‌ ଦର ଲିଟର ପିଛା ୧୧ ପାଇସା ବୃଦ୍ଧି ପାଇଛି। ଫଳରେ ଶନିବାର ଦିନ ଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ପ୍ରମୁଖ ସହରରେ ଡିଜେଲ୍‌ର ମୂଲ୍ୟ ଲିଟର ପିଛା ୭୫. ୪୫ ପଇସା ଓ ପେଟ୍ରୋଲ୍‌ର ମୂଲ୍ୟ ଲିଟର ପିଛା ୬୮. ୪୦ ପଇସାରେ ପହଞ୍ଚିଥିଲା।

ଜାନୁଆରି ୨ ତାରିଖରୁ ଲିଟର ପିଛା ପେଟ୍ରୋଲ୍‌ ଦର ୩୮ ପଇସା ବଢ଼ିଥିବା ବେଳେ ଲିଟର ପିଛା ଡିଜେଲ୍‌ର ମୂଲ୍ୟ ୫୫ ପଇସା ବୃଦ୍ଧି ପାଇଛି।
ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଏବଂ ଭାରତୀୟ ମୁଦ୍ରା ଓ ଆମେରିକୀୟ ଡଲାର୍‌ ବିନିମୟ ମୂଲ୍ୟ ଉପରେ ଆମ ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ। ତୈଳ ଚାହିଦା ମେଣ୍ଟାଇବାକୁ ଭାରତ ୮୪% ଅଶୋଧିତ ତୈଳ ଆମଦାନି କରିଥାଏ। ଏହାର ଏକ ତୃତୀୟାଂଶ ଆସିଥାଏ ଇରାକ୍‌ ଓ ସାଉଦୀ ଆରବ ଦେଶମାନଙ୍କରୁ।

By amfnews

Related Post