Wed. Mar 11th, 2026

ଇତିଶଙ୍କ ଗିରଫ ଦାବି କଲା ଛାତ୍ର କଂଗ୍ରେସ

205 Views

ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅସମ୍ମାନ କରିଥିବା ନିଲମ୍ବିତ ଛାତ୍ର କଂଗ୍ରେସ ସଂଯୋଜକ ଇତିଶ ପ୍ରଧାନଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଉ। ଆଜି ସ୍ଥାନୀୟ କଂଗ୍ରେସ ଭବନରେ ଛାତ୍ର କଂଗ୍ରେସ ପକ୍ଷରୁ ସମ୍ବାଦିକ ସମ୍ମିଳନୀ କରି ଏପରି ଦାବି କରାଯାଇଛି। ଏହାସହିତ ଶ୍ରୀ ପ୍ରଧାନଙ୍କୁ ଅବିଳମ୍ବେ ଗିରଫ କରିବାକୁ କ୍ୟାପିଟାଲ ଥାନାରେ ଛାତ୍ର କଂଗ୍ରେସ ପକ୍ଷରୁ ଏତଲା ଦାୟର ହୋଇଛି।

କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ୟାସିର ନଵାଜ୍ କହିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି ଶ୍ରୀ ପ୍ରଧାନଙ୍କ କଟୁ ମନ୍ତବ୍ୟକୁ ଆଉ ବରଦାସ୍ତ କରାଯିବନି। ସଭାପତିଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ତାଙ୍କୁ ଛାତ୍ର କଂଗ୍ରେସ ନେତାଙ୍କୁ ସମ୍ମୁଖୀନ ହେବାକୁ ପଡ଼ିବ। ଇତିଶଙ୍କ ଏପରି ମନ୍ତବ୍ୟ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଓ ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ନଵାଜ୍ କହିଥିଲେ। ଏଥିପାଇଁ ଶ୍ରୀ ପ୍ରଧାନଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ପାଇଁ ବହିଷ୍କାର କରିବାକୁ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିକଟରେ ଦାବି କରାଯିବ ବୋଲି ସେ କହିଥିଲେ।

ପ୍ରକାଶଥାଉକି, ଗତ ୧୪ ତାରିଖରେ ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଇତିଶ ପ୍ରଧାନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି ବିଷୋଦଗାର କରିବାରୁ ନିଖିଳ ଭାରତ କଂଗ୍ରେସ ସମ୍ପାଦକ ମେଥା ରୋହିତ୍ ଛାତ୍ର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶ୍ରୀ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ପରେ ପିସିସି ସଭାପତିଙ୍କୁ ଅଣ୍ଡାମାଡ଼ କରିବେ ବୋଲି ଶ୍ରୀ ପ୍ରଧାନ ଆଜି ମଧ୍ୟ ଗଣମାଧ୍ୟମରେ ବିବୃତ୍ତି ରଖିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଦସ୍ୟ ମନଷା ତ୍ରିପାଠୀ, ଛାତ୍ର କଂଗ୍ରେସ ସଂଯୋଜକ ନିରଞ୍ଜନ ଦାସ, ପ୍ରସନ୍ନ ମାର୍ଥା, ଆଲୋକ କୁମାର ଦାସଙ୍କ ସମେତ ଅନ୍ୟ ଛାତ୍ର କଂଗ୍ରେସ ନେତା ଉପସ୍ଥିତ ଥିଲେ।

By amfnews

Related Post