Mon. Nov 25th, 2024

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଝାଡ଼ଖଣ୍ଡରେ ଗଣଦୁଷ୍କର୍ମ: ରେଳବାଇ ଥାନାରେ ମାମଲା ରୁଜୁ

By amfnews Jan 9, 2019 #Featured
198 Views

ରାଉରକେଲା, ୯ା୧ : ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଝାଡ଼ଖଣ୍ଡରେ ଗଣଦୁଷ୍କର୍ମ କରାଯାଇଥିବା ରେଳବାଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ରେଳବାଇ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କଲେଜ ଛାତ୍ରୀଙ୍କ ଘର ଝାରସୁଗୁଡ଼ାରେ ବୋଲି ଜଣାପଡିଛି । ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସେ ଅଧ୍ୟୟନ କରୁଥିବା ବେଳେ ଏକ କଲେଜ ହଷ୍ଟେଲରେ ରହୁଥିଲେ ।

ନୂଆବର୍ଷ ଉପଲକ୍ଷେ କଲେଜ ଛୁଟି ହେବାରୁ ନିଜ ଘରକୁ ଯାଉଥିବା ନେଇ ହଷ୍ଟେଲ ଅଧିକାରୀ ଓ ସହପାଠୀଙ୍କୁ ଜଣାଇ ରେଲୱେ ଷ୍ଟେସନରେ ପହଞ୍ଚି ଥିଲେ । ଷ୍ଟେସନରେ ରେଲୱେ କାଉଣ୍ଟରରୁ ଟିକେଟ୍ କାଟୁଥିବା ବେଳେ ସେଠାରେ ଜଣେ ଯୁବକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ଯୁବକ ଜଣକ ଛାତ୍ରୀଙ୍କ ବଡ଼ ଭାଇଙ୍କ ବନ୍ଧୁ ବୋଲି ପରିଚୟ ଦେଇଥିଲେ ।

ତେଣୁ ଦୁହେଁ ସାଙ୍ଗ ହୋଇ ଝାରସୁଗୁଡ଼ା ଯିବାକୁ ସ୍ଥିର କରିଥିଲେ । ତେବେ ଉଭୟ ଝାରସୁଗୁଡ଼ା ବଦଳରେ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ଟ୍ରେନରେ ବସିଥିଲେ । ଟ୍ରେନ୍ ଯାତ୍ରାର କିଛି ସମୟରେ ଚକ୍ରଧରପୁରରେ ପହଞ୍ଚିଥିଲେ । ଝାରସୁଗୁଡା ବଦଳରେ ଚକ୍ରଧରପୁର କାହିଁକି ଆଣିଲ ବୋଲି ଯୁବତୀ ଜଣକ ପଚାରିବାରୁ ଏଠାରୁ ଝାରସୁଗୁଡ଼ା ବସ୍ ଅଛି କହି ସେଠାରୁ ସେମାନେ ସୋନୁଆ ଅଞ୍ଚଳକୁ ଫେରିଥିଲେ । ସୋନୁଆ ନିକଟସ୍ଥ ଲୋଟାପାଡକୁ ଯାଇ ସଂପୃକ୍ତ ଯୁବକ ଓ ତାର ଅନ୍ୟ ୪ ସହଯୋଗୀ ଯୁବକ ସେଠାରେ ଯୁବତୀଙ୍କୁ ରାତିରେ ଗଣଦୁଷ୍କର୍ମ କରିଥିଲେ ।

କିଛି ସ୍ଥାନୀୟ ଲୋକେ କଲେଜ ଛାତ୍ରୀଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ରେଳବାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରାଇବା ସହ କୋର୍ଟରେ ହାଜର କରାଇଛି । କୋର୍ଟରେ ୧୬୪ ଧାରାରେ ପୀଡ଼ିତାଙ୍କ ମାଜିଷ୍ଟ୍ରେଟ ବୟାନ ରେକର୍ଡ଼ କରିଛନ୍ତି ।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ବୟାନ ଆଧାରରେ ରେଳବାଇର ୨ ଜଣ ଅଧିକାରୀ ତଦନ୍ତ ଚଳାଇଛନ୍ତି । ଘଟଣାର ତଦନ୍ତ ପାଇଁ ପୁଲିସର ଏକ ଟିମ୍ ଝାଡ଼ଖଣ୍ଡ ଯିବ ବୋଲି ରାଉରକେଲା ରେଳବାଇ ଏସ୍ପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେବା ସହ ରେଲୱେ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରାଯିବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି । ପୀଡିତା ଛାତ୍ରୀ ଜଣକ ଅଭିଯୁକ୍ତକୁ ଚିହ୍ନି ନଥିବା କହୁଥିବାରୁ ଏହା ପୋଲିସ୍ର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

By amfnews

Related Post