Sat. Mar 7th, 2026

ଇଞ୍ଚୁଡ଼ି ସହିଦ୍‌ ପୀଠରୁ ଜାତୀୟ ପତାକା ଚୋରି!

250 Views

ବାହାନଗା : କିଛି ଦିନ ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଚୋରି ହୋଇ ଯାଇଥିଲା। ଏବେ ଲବଣ ସତ୍ୟାଗ୍ରହ ସ୍ମୃତିସ୍ତମ୍ଭ ନିକଟରୁ ଖମ୍ବ ଭାଙ୍ଗି ଜାତୀୟ ପତାକାକୁ ନେଇଯାଇଛନ୍ତି ଦୁର୍ବୃତ୍ତ। ଏ ନେଇ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ବାଲେଶ୍ୱର ଜିଲ୍ଲା ଇଞ୍ଚୁଡ଼ିସ୍ଥିତ ସହିଦ ସ୍ମୃତିସ୍ତମ୍ଭ ନିକଟକୁ ଲବଣ ସତ୍ୟାଗ୍ରହ ସ୍ମୃତି କମିଟି ସମ୍ପାଦକ ପ୍ରଶାନ୍ତ ମହାନ୍ତି ଗତକାଲି ଅପରାହ୍ନରେ ବୁଲି ଯାଇଥିଲେ। ତେବେ ସେଠାରେ ସ୍ମୃତିସ୍ତମ୍ଭ ସମ୍ମୁଖରେ ଥିବା ଖମ୍ବ ଭଙ୍ଗାଯାଇଥିବା ସହ ଜାତୀୟ ପତାକା ନ ଥିବା ଦେଖିବାକୁ ପାଇଥିଲେ। ଏ ବାବଦରେ ସେ ସ୍ମୃତି କମିଟିରେ ଜଣାଇବା ପରେ ଆଜି ଖନ୍ତାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୬ ତାରିଖ ରାତିରେ ମଧ୍ୟ ଉକ୍ତ ସ୍ମୃତିସ୍ତମ୍ଭ ନିକଟରୁ ସଂଗ୍ରାମୀ ସ୍ୱର୍ଗତ ଲୋକନାଥ ମହାନ୍ତିଙ୍କର ପ୍ରତିମୂର୍ତ୍ତି ଚୋରି ହୋଇଥିବା ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଥିଲା। ତେବେ ଉକ୍ତ ମାମଲାରେ ପୁଲିସ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ସନ୍ଧାନ ପାଇପାରିନାହିଁ।

By amfnews

Related Post