Sat. Mar 7th, 2026

ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରିଥିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍‌ ଦେଲେ ସୁପ୍ରିମ୍‌ କୋର୍ଟ

251 Views

ନୂଆଦିଲ୍ଲୀ : ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରାଯାଇଥିବା ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ସୋମବାର ଦିନ ନୋଟିସ୍‌ ଜାରି କରିଛନ୍ତି।

ଆବେଦନକାରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରଣ କରାଯାଉଥିବାରୁ ରାଜ୍ୟ ସରକାର ରେଳ ଷ୍ଟେସନ୍‌, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକର ନାମ ପରିବର୍ତ୍ତନ କରି ପାରିବେ ନାହିଁ। ୫୦୦ ବର୍ଷ ପୂର୍ବେ ମୋଗଲ ସମ୍ରାଟ ଆକବର କରିଥିବା ତ୍ରୁଟିକୁ ବିଜେପି ସଂଶୋଧନ କରୁଛି କହି ଉତ୍ତରପ୍ରଦେଶ ସରକାର ଐତିହାସିକ ସହର ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରିଛନ୍ତି।

ଆକବର ଦେଇଥିବା ନାମ ପରିବର୍ତ୍ତନ କରି ଏ ସହରର ପୁରାତନ ନାମକୁ ପୁଣି ଫେରାଇ ଅଣାଯାଇଛି ବୋଲି ବିଜେପି ସରକାର କହିଥିଲା।
ସରକାରଙ୍କର ଏହି ପଦକ୍ଷେପକୁ ବିରୋଧୀ, ବୁଦ୍ଧିଜୀବୀ ଓ ଐତିହାସିକମାନେ ତୀବ୍ର ସମାଲୋଚନା କରିଥିଲେ। ସେମାନେ କହିଥିଲେ କି, ସରକାର ଇତିହାସର ଜାଲିଆତି କରୁଛନ୍ତି। ୧୫୭୫ ମସିହାରେ ଆହ୍ଲାବାଦର ନାମକରଣ ହୋଇଥିଲା। ମୋଗଲ ସମ୍ରାଟ ଆକବର ଏହାକୁ ‘ଇଲ୍ଲାହାବାସ’ ଅର୍ଥାତ୍‌ ଈଶ୍ୱରଙ୍କ ନିବାସ ବୋଲି କହିଥିଲେ।

ଆକବର ନାମ ପରିବର୍ତ୍ତନ କରିବା ପୂର୍ବରୁ ଏହି ସହରର ନାମ ଥିଲା ପ୍ରାୟଗ। ଆକବରଙ୍କ ଦରବାରର ଐତିହାସିକ ଅବୁଲ୍‌ ଫଜଲ୍‌ଙ୍କ ଲେଖା ସମେତ କେତେକ ମଧ୍ୟଯୁଗୀୟ ପୁସ୍ତକରେ ଏହାକୁ ‘ପିୟାଗ’ ବୋଲି କୁହାଯାଇଛି। ଋଗ୍‌ବେଦ ଓ ଅନ୍ୟ କେତେକ ପୁରାଣରେ ମଧ୍ୟ ଏହି ସ୍ଥାନର ଧାର୍ମିକ ମୂଲ୍ୟକୁ ଗୁରୁତ୍ୱ ଦିଆଯାଇଛି।

By amfnews

Related Post