Fri. Dec 27th, 2024

ଆସନ୍ତା ଜାନୁଆରୀ ୮ ଓ ୯ରେ ସର୍ବଭାରତୀୟ ଧର୍ମଘଟ ସଫଳ କରିବାକୁ ଶ୍ରମିକ ଭବନ ଠାରେ ମିଳିତ ଟ୍ରେଡ୍ ୟୁନିୟନର ବୈଠକ

By amfnews Nov 18, 2018 #Featured
116 Views

ରାଉରକେଲା, ୧୮ା୧୧  : ସ୍ଥାନୀୟ ଶ୍ରମିକ ଭବନ ଠାରେ ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀଙ୍କ ସଭାପତିତ୍ୱରେ ମିଳିତ ଟ୍ରେଡ୍ ୟୁନିୟନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଜାନୁଆରୀ ୮ ଓ ୯ ତାରିଖର ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଆସନ୍ତା ୨୮ ତାରିଖ ଦିନ ଜିଲାସ୍ତରୀୟ କନ୍ଭେନସନ ରାଉରକେଲାରେ ଆୟୋଜନ କରାଯାଇଛି । ସିଆଇଟିୟୁ ଜିଲା ସମ୍ପାଦକ ବିମାନ ମାଇତି ସର୍ବଭାରତୀୟ କନ୍ଭେନସନ ଓ ରାଜ୍ୟ କନ୍ଭେନସନ ନିଷ୍ପତ୍ତି ସମ୍ପର୍କରେ ଆଲୋଚନା ଦେଇଥିଲେ ।

ମୋଦି ସରକାର କ୍ଷମତାକୁ ଆସିବା ପରେ କର୍ପୋରେଟ୍ ମାଲିକଙ୍କ ସପକ୍ଷରେ ବିଭିନ୍ନ ଶ୍ରମିକ ବିରୋଧି ନୀତି ଗ୍ରହଣ କରିଛନ୍ତି । ଦରଦାମ୍ ବୃଦ୍ଧିରେ ଦେଶର ଜନସାଧାରଣ ଅତିଷ୍ଠ । କୃଷକ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି । ଲକ୍ଷ ଲକ୍ଷ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯାଇଛି । କୋଟି କୋଟି ଶ୍ରମିକ କାମ କରିବା ଅଧିକାର ହରାଇଛନ୍ତି । ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ସହ ଘରୋଇକରଣ କରାଯାଉଛି । ସେଲ୍ର ଏନ୍ଜେସିଏସ୍ ଚୁକ୍ତିନାମା କରାଯାଉ ନାହିଁ । ଶ୍ରମିକମାନେ ପାଉଥିବା ସୁବିଧା ସୁଯୋଗକୁ କାଟି ଦିଆଯାଉଛି ।

ଶ୍ରମିକଙ୍କୁ ଗୋଲାମ କରିବା ପାଇଁ ୪୪ଟି ଆଇନ୍ ୪ଟି କୋଡ୍ରେ ଆଣି କର୍ପୋରେଟ୍ ମାଲିକଙ୍କ ସପକ୍ଷରେ ନୀତି ନିର୍ଦ୍ଧାରଣ କରାଯାଉଛି । ତେଣୁ ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଆସନ୍ତା ଜାନୁଆରୀ ୮ ଓ ୯ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜିର ବୈଠକରେ ଆର୍ଏସ୍ଏସ୍ର ଅକ୍ଷୟ ଜେନା, ନିହାର ଦାସ, ଏଆଇଟିୟୁସିର ସତ୍ୟପ୍ରିୟ ମହାନ୍ତି ଓ ଧନେଇ ବେହେରା, ଏଆଇଟିୟୁସିର ପ୍ରଦ୍ୟେଷ ମହାନ୍ତି, ଏଆଇସିସିଟିୟୁର ଏନ୍.କେ. ମହାନ୍ତି, ସିଆଇଟିୟୁର ବସନ୍ତ ନାୟକ, ଶ୍ରୀମନ୍ତ ବେହରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଆସନ୍ତା ୧୮ ତାରିଖ ଦିନ ୧୧ଟା ବେଳେ ପରବର୍ତ୍ତୀ ମିଳିତ ବୈଠକ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ସ୍ଥାନୀୟ ୟୁନିୟନଙ୍କୁ ସାମିଲ୍ କରିବା ସହ ଆସନ୍ତା ୨୮ ତାରିଖ ଜିଲାସ୍ତରୀୟ ମିଳିତ ଟ୍ରେଡ୍ ୟୁନିୟନ କନ୍ଭେନସନ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ଆଜି ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ଦାଶ, ବି.ପି. ମହାପାତ୍ର, ବିଶ୍ୱଜିତ ମାଝି, କେଦାର ଜେନା, ସୁବାଷ ଜୟପୁରିଆ, ପି.କେ. ମହାନ୍ତି, ଦିବାକର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post