Sat. Mar 7th, 2026

ଆଲୋକ ଓ ରାକେଶଙ୍କ ମଧ୍ୟରେ ଚାଲିଥିବା ବିଲେଇ କଳି ସିବିଆଇର ଭାବମୂର୍ତ୍ତିକୁ ନଷ୍ଟ କରି ଦେଇଥିଲା: କେନ୍ଦ୍ର କହିଲା ସୁପ୍ରିମ୍‌ କୋର୍ଟଙ୍କୁ

435 Views

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ନମ୍ବର ୧ ଆଲୋକ ବର୍ମା ଓ ନମ୍ବର ୨ ରାକେଶ ଅସ୍ଥାନାଙ୍କ ମଧ୍ୟରେ ଯେଉଁ ବିଲେଇ କଳି ଚାଲିଥିଲା ସେଥିରେ ସିବିଆଇର ଭାବମୂର୍ତ୍ତି ସାଧାରଣରେ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିଲା। ଖାଲି ଏତିକି ନୁହେଁ; ସଂସ୍ଥାର ଦୁଇ ପ୍ରମୁଖଙ୍କ ମଧ୍ୟରେ ଏପ୍ରକାର କଳି ଏକ ଅଭାବନୀୟ ଓ ଅଭୂତପର୍ବ ପରିସ୍ଥିତି ମଧ୍ୟ ସୃଷ୍ଟି କରିଥିଲା। ଏପରିସ୍ଥିତିରେ, ଘଟଣାରେ ହସ୍ତକ୍ଷେପ କରିବା ବ୍ୟତୀତ କେନ୍ଦ୍ର ସରକାରଙ୍କ ନିକଟରେ ଅନ୍ୟ କୌଣସି ପ୍ରକାର ବିକଳ୍ପ ନଥିଲା ବୋଲି ଆଜି ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ।

ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ବାଧ୍ୟତାମୂଳକ ଭାବେ ଛୁଟିରେ ପଠାଇବା ଘଟଣାକୁ ବିରୋଧ କରି ସେ ସୁପ୍ରିମ୍‌ କୋର୍ଟରେ ଯେଉଁ ମାମଲା ଆଗତ କରିଥିଲେ, ଆଜି ସେହି ମାମଲାର ଶୁଣାଣି କାଳରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠଙ୍କ ନିକଟରେ ଏହି କଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କହିଛନ୍ତି ଆଟର୍ଣ୍ଣି ଜେନେରାଲ ଭେନୁଗୋପାଲ। ରାସ୍ତା ଉପରେ ଦୁଇ ବିଲେଇ କଳି ଲାଗିବା ପରି ଆଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କ ମଧ୍ୟରେ ଯେଉଁ କଳି ଚାଲିଥିଲା ସେଥିରେ ସିବିଆଇର ଭାବମୂର୍ତ୍ତି ସାଧାରଣରେ ସଂପୂର୍ଣ୍ଣ ରୂପେ କ୍ଷୁଣ୍ଣ ହୋଇ ଯାଇଥିଲା। ଏପରିସ୍ଥିତିରେ ଆଗ ଅନୁଷ୍ଠାନର ଭାବମୂର୍ତ୍ତିକୁ ସଜାଡ଼ିବା ଜରୁରୀ ହୋଇ ପଡ଼ିଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଭେନୁଗୋପାଲଙ୍କ ଠାରୁ ଏପ୍ରକାର ଯୁକ୍ତି ଶୁଣିବା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଡିସେମ୍ବର ୬ ତାରିଖକୁ ଧାର୍ଯ୍ୟ କରିଛନ୍ତି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ।

By amfnews

Related Post