Sun. Nov 24th, 2024

ଆର୍ଏମ୍ସି ପକ୍ଷରୁ ପ୍ଲାଷ୍ଟିକ ବ୍ୟାନ ପରବର୍ତ୍ତୀ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ

rklsanchar@gmail.com' By J.N. Pradhan Aug 9, 2018 #Featured
199 Views

ରାଉରକେଲା, ୯ା୮ : ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ପ୍ଲାଷ୍ଟିକ୍ ଆବର୍ଜନା ନିୟମାବଳୀ-୨୦୧୬ ଅନୁଯାୟୀ ଆର୍ଏମ୍ସିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ ସହରରେ ପରିଣତ କରିବା ପାଇଁ ସଂକଳ୍ପ ନେଇଛି ଆର୍ଏମ୍ସି । ପ୍ଲାଷ୍ଟିକ୍ ବ୍ୟାନ ହେବା ପରେ ଏହାର ବିକଳ୍ପ ଭାବେ କପଡା ତଥା କାଗଜ ତିଆରି ବ୍ୟାଗ ଆପଣେଇବାକୁ ଆର୍ଏମ୍ସି ଉଦ୍ୟମ ଆରମ୍ଭ କରିଛି । ପ୍ଲାଷ୍ଟିକ୍ ବ୍ୟାନ ହେବା ପରେ କପଡା ତଥା କାଗଜ ତିଆରି ବ୍ୟାଗର ଚାହିଦା ନିଶ୍ଚିତ ଭାବେ ବୃଦ୍ଧି ପାଇବ ।

ତେଣୁ ସେହି ଚାହିଦା ପୂରଣ କରିବା ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜୀବନ ଜୀବିକାକୁ ପରିବର୍ଦ୍ଧିତ କରିବା ନିମନ୍ତେ ଏକ ପ୍ଲାଷ୍ଟିକ୍ ବ୍ୟାନ ପରବର୍ତ୍ତୀ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର୍ଏମ୍ସି କମିଶନର ରଶ୍ମିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଅନେକ ନକାରାତ୍ମକ ପ୍ରଭାବ ପଡୁଛି । ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି ।

ତେଣୁ ସହରକୁ ପ୍ଲାଷ୍ଟିକ୍ ଆବର୍ଜନା ମୁକ୍ତ ସହରରେ ପରିଣତ କରିବା ଲାଗି ସମସ୍ତେ ଆଗେଇ ଆସିବା ପାଇଁ କମିଶନର ଶ୍ରୀମତୀ ପଣ୍ଡା ଆହ୍ୱାନ ଦେଇଥିଲେ । ପ୍ଲାଷ୍ଟିକ୍ ଆବର୍ଜନା ନିୟମ-୨୦୧୬କୁ କଡାକଡି ଭାବେ ଲାଗୁ କରାଯିବ । ତେଣୁ ଏହି ଅବସରକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନେ ଏକ ସୁଯୋଗ ଭାବେ ଗ୍ରହଣ କରି ନିଜର ଜୀବିକାକୁ ଆହୁରି ସୁଦୃଢ କରିବା ପାଇଁ ଆଗେଇ ଆସି କାର୍ଯ୍ୟ କରିବାକୁ ଶ୍ରୀମତୀ ପଣ୍ଡା କହିଥିଲେ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନଙ୍କୁ କପଡା ତଥା କାଗଜ ବ୍ୟାଗ ପ୍ରସ୍ତୁତ କରିବା ଲାଗି ଆର୍ଏମ୍ ସି ପକ୍ଷରୁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଜାତୀୟ ସହରୀ ଜୀବିକା ମିଶନ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବାର ଯୋଜନା ରହିଛି ।

ଫଳରେ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ତଥା ସହରକୁ ପ୍ଲାଷ୍ଟିକ୍ ଆବର୍ଜନାମୁକ୍ତ ସହରରେ ପରିଣତ କରିବା ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ । ଏହି ଅବସରରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସେମାନଙ୍କ ନିକଟବର୍ତ୍ତୀ ସ୍ଥାନ ମାନଙ୍କରେ କରାଇବା ନିମନ୍ତେ ଅନୁରୋଧ କରିଥିଲେ । ଏଥିସହ ବ୍ୟାଙ୍କ ଋଣ, କଞ୍ଚା ମାଲର ସୁବ୍ୟବସ୍ଥା, ବ୍ୟବସାୟିକ ସ୍ଥାନ ଇତ୍ୟାଦି ସୁବିଧା ଯୋଗାଇ ଦିଆଯିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କପଡା ଓ କାଗଜ ତିଆରି ବ୍ୟାଗ କିପରି ବଜାରରେ ବିକ୍ରି ହୋଇପାରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କମିଶନରଙ୍କୁ ନିବେଦନ କରିଥିଲେ ।

ପରେ କମିଶନର ଶ୍ରୀମତୀ ପଣ୍ଡା ଏ ସମ୍ପର୍କରେ ନିଶ୍ଚିତ ଭାବେ ଦୃଷ୍ଟି ଦେବା ସହ ଆର୍ଏମ୍ସି ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଆର୍ଏମ୍ସି ଉପାୟୁକ୍ତ ସୁଷମା ବିଲୁଙ୍ଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ସୀତାଦେବୀ ମାଝି ଧନ୍ୟବାଦ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ୧୭୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୩୫୯ ଜଣ ସଦସ୍ୟା ଯୋଗ ଦେଇଥିଲେ ।

Related Post