Sun. Mar 8th, 2026

ଆରମ୍ଭ ହେଲା ମିସନ୍ ସୁବିଦ୍ୟା, ଏସ୍‌ସି/ଏସ୍‌ଟି ହଷ୍ଟେଲ୍‌ରେ ମୌଳିକ ସୁବିଧାର ଉନ୍ନତି ହେବ

184 Views

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ‘ମିସନ୍ ସୁବିଦ୍ୟା’ ଆରମ୍ଭ ହୋଇଛି। ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ଏହି ମିସନ୍ ମାଧ୍ୟମରେ ଅନୁସୂଚିତ ଜାତି/ଜନଜାତି ଛାତ୍ରାବାସରେ ଭଲ ଘର, ‌ଭଲ ଶୌଚାଳୟ, ଶୁଦ୍ଧ ପିଇବା ପାଣି, ଉନ୍ନତମାନର ରୋଷେଇ ଘର ପରି ମୌଳିକ ସୁବିଧାର ଗୁଣାତ୍ମକ ମାନ ନିଶ୍ଚିତ କରାଯିବ। ଏଥି ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ କ୍ବାଲିଟି କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ, ଅକ୍ଷର ଫାଉଣ୍ଡେସନ୍ ଓ ଟ୍ରାଇଫେଡ୍‌ ସହ ତିନିଟି ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି।

କ୍ବାଲିଟି କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ପକ୍ଷରୁ ଏସ୍‌ସି/ଏସ୍‌ଟି ହଷ୍ଟେଲ୍‌ରେ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗର ଆକଳନ କରାଯିବ। ହଷ୍ଟେଲ୍‌ଗୁଡ଼ିକ ଯେପରି ଆଇଏସ୍‌ଓ ୯୦୦୧/୨୦୧୫ ସାର୍ଟିଫିକେଟ୍‌ ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ମାନକୁ ଏହି ସଂସ୍ଥା ପରୀକ୍ଷା କରିବ। ସଂସ୍ଥାର ମହାନିର୍ଦ୍ଦେଶକ ଆର୍‌ ପି ସିଂହ ଓ ଅନୁସୂଚିତ ଜନଜାତି ବ୍ୟପାର ସଚିବ ସଚିନ ଯାଦବ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ସେହିପରି ଅକ୍ଷର ଫାଉଣ୍ଡେସନ୍‌ ଅନୁସୂଚିତ ଜାତି/ଜନଜାତି ବିଭାଗ ସହ ସମନ୍ବୟ ରକ୍ଷା କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବେ। କ୍ଲାସ୍‌ରୁମ୍ ପାଠପଢ଼ା, ସ୍କୁଲ୍‌/ହଷ୍ଟେଲ୍‌ରେ ଲାଇବ୍ରେରି ସୁବିଧା, ଡିଜିଟାଲ୍‌ ପଦ୍ଧତ୍ତିରେ ଶିକ୍ଷାଦାନ ଆଦି ଦିଗ ପ୍ରତି ଫାଉଣ୍ଡେସନ୍ ଗୁରୁତ୍ବ ଦେବ। ବିଭାଗ ଅଧୀନରେ ଆସୁଥିବା ସମସ୍ତ ସ୍କୁଲ୍‌ରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଦୁଇ ଲକ୍ଷ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ। ଅକ୍ଷର ଫାଉଣ୍ଡେସନ୍ ପକ୍ଷରୁ ସିଇଓ ଅଶୋକ କାମାଥ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ।

ତୃତୀୟ ବୁଝାମଣାପତ୍ରରେ ଟ୍ରାଇଫେଡ୍‌ର ଅମିତ ଭଟ୍ଟନାଗର ଓ ଟିଡିସିସିଓଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଶରତ ମହାନ୍ତି ସ୍ବାକ୍ଷର କରିଥିଲେ। ଆଦିବାସୀ ଚିତ୍ରଶିଳ୍ପୀ ଓ ଆଦିବାସୀ ଉଦ୍ୟୋଗୀମାନଙ୍କ ଉତ୍ପାଦଗୁଡ଼ିକୁ ଟ୍ରାଇଫେଡ୍‌ ମାଧ୍ୟମରେ ବଜାର ସଂଯୋଗ ଯୋଗାଇ ଦିଆଯିବ।

ବୁଝାମଣାପତ୍ର ସ୍ବାକ୍ଷର ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ୬୫୦୦ ହଷ୍ଟେଲ୍‌ରେ ୫.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରହୁଛନ୍ତି। ମିସନ୍ ସୁବିଦ୍ୟା ଏହି ହଷ୍ଟେଲ୍‌ଗୁଡ଼ିକର ଅନ୍ତେବାସୀମାନଙ୍କୁ ପର୍ଯ୍ୟାୟକ୍ରମେ ଅନୁକୂଳ ପରିବେଶ ଯୋଗାଇ ଦେବ। ନିରାପଦ ଓ ନିରାପତ୍ତା, ସ୍ବାସ୍ଥ୍ୟ, ପରିମଳ ଓ ଖାଦ୍ୟ ଆଦି କ୍ଷେତ୍ରରେ ଗୁଣାତ୍ମକ ମାନର ନିଶ୍ଚିତ କରାଯିବ। ଏସବୁ ଦ୍ବାରା ଛାତ୍ରଛାତ୍ରୀମାନେ ନିଜର ପାଠପଢ଼ା ଉପରେ ଅଧିକ ଗୁରୁତ୍ବ ଦେଇପାରିବେ। ହଷ୍ଟେଲ୍‌ଗୁଡ଼ିକରେ ଉନ୍ନତମାନର ସୁବିଧାକୁ ନିଶ୍ଚିତ କରିବା ପାଇଁ କ୍ବାଲିଟି କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ରାଜ୍ୟ ସରକାରଙ୍କ ସହ ହାତ ମିଳାଇବା ଖୁସିର ବିଷୟ। ସରକାରଙ୍କ ସହ ଅକ୍ଷର ଫାଉଣ୍ଡେସନ୍ ଓ ଟ୍ରାଇଫେଡ୍‌ର ଭାଗୀଦାରିତ‌ା ନିଶ୍ଚିତ ଉତ୍ସାହନଜନକ। ଏସବୁ କାର୍ଯ୍ୟକ୍ରମ ସରକାର ୫-ଟିର ଲକ୍ଷ୍ୟ ପୂରଣରେ ସହାୟକ ହେବ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଏହା ପ୍ରଭାବୀ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକଟ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିସନ୍ ସୁବିଦ୍ୟାର ଲୋଗୋ ଉନ୍ମୋଚନ କରିଥିଲେ। ବାଥୁଡ଼ି ଓ ଗଣ୍ଡିଆ ସମ୍ପ୍ରଦାୟ ଉପରେ ଦୁଇଟି ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ଉପଦେଷ୍ଟା ଓ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

By amfnews

Related Post