Wed. Jan 1st, 2025

ଆରମ୍ଭ ହେଲା କୋସଲ ଜନତା ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟା

By amfnews Sep 4, 2018 #Featured
155 Views

ରାଉରକେଲା, ୪ା୯ : ଆସନ୍ତା ସାଧାରଣ ନିର୍ବାଚନ ପାଇଁ କୋସଲ ଜନତା ଦଳର ପ୍ରାର୍ଥୀ ଚୟନ ବୈଠକ ୧ ତାରିଖ ସନ୍ଧ୍ୟାରେ ଛେଣ୍ଡ ସ୍ଥିତ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ସମଭାବାପନ୍ନ ଦଳମାନଙ୍କ ସହ ସମ୍ଭାବ୍ୟ ମେଣ୍ଟକୁ ନେଇ ଆଲୋଚନା ଜାରି ରହିଥିବା ଦୃଷ୍ଟିରୁ ତରବରିଆ ଭାବେ ପ୍ରାର୍ଥୀ ଘୋଷଣା ନ କରିବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ସଂଖ୍ୟାଧିକ ସଭ୍ୟ ମତ ରଖିଥିବାରୁ ଏହି ପ୍ରକ୍ରିୟାକୁ ଅନ୍ତତଃ ମାସେ କାଳ ଅର୍ଥାତ୍ ଅକ୍ଟୋବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଇତିମଧ୍ୟରେ ପ୍ରତି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ପାଇଁ ଗଠିତ ସବ୍-କମିଟି ସହ ଯୋଗାଯୋଗ ରକ୍ଷା କରିବା ନିମନ୍ତେ ଦଳର ସଭାପତି ଓ ଉପସଭାପତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଓଡ଼ିଶାର ଅନ୍ୟାନ୍ୟ ପ୍ରାନ୍ତ ଏପରିକି କଟକ, ଭୁବନେଶ୍ୱର ତଥା ଅନୁଗୋଳ ଆଦି ଅଞ୍ଚଳରୁ ପ୍ରାର୍ଥୀ ମନୋନୟନ ପାଇଁ ଯୋଗାଯୋଗ କରାଯାଉ ବୋଲି ସଭ୍ୟମାନେ ମତ ରଖିବା ପରେ ପ୍ରାର୍ଥୀ ତାଲିକା ଘୋଷଣାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୧୦ ତାରିଖ ଦିନ ଦଳର ସାଧାରଣ ପରିଷଦ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ଦଳର ମୁଖପାତ୍ର ସୁରମା ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

ନୂଆଖାଇ ପରେ ପ୍ରସ୍ତାବିତ କୋସଲ ମୁକ୍ତି ରଥ ୪ କିମ୍ବା ୫ଟି ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାର ସମସ୍ତ ନିବାଚନ ମଣ୍ଡଳୀ ପରିକ୍ରମା କରିବ ଏବଂ ଏଥିପାଇଁ ଯଥାଶୀଘ୍ର ପ୍ରସ୍ତୁତି ଚୂଡ଼ାନ୍ତ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ପ୍ରଥମ ପର୍ଯ୍ୟାୟରେ ମୁକ୍ତି ରଥ ସୁନ୍ଦରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପରିକ୍ରମା କରିବା ସହ ସମ୍ବଲପୁର ଜିଲ୍ଲାର କିଛି ବ୍ଲକ୍କୁ ଛୁଇଁବ ।

ଦଶହରା ପୂର୍ବରୁ ୨ୟ ପର୍ଯ୍ୟାୟ ପରିକ୍ରମା ଶେଷ କରିବା ସହ ନଭେମ୍ବର ଶେଷ ସୁଦ୍ଧା ପଶ୍ଚିମ ଓଡ଼ିଶାର ଅବଶିଷ୍ଟ ଜିଲ୍ଲାମାନଙ୍କରେ ରଥ ଗଡ଼ିବ ବୋଲି ନିଷ୍ପତ୍ତି ହୋଇଛି । ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ସନତ କୁମାର ପ୍ରଧାନ, ମହାସଚିବ ଚକ୍ରାନ୍ତ ଜେନା, କୋଷାଧ୍ୟକ୍ଷ ଲଲାଟେନଦୁ ଚୌଧୁରୀ, ସମ୍ପାଦକ ନିର୍ମଳ କୁମାର ଦାସ, ସ୍ୱରୂପ ମିଶ୍ର ତଥା ମୁଖପାତ୍ର ସୁରମା ମିଶ୍ରଙ୍କ ବ୍ୟତୀତ ରଞ୍ଜନ କୁମାର ଲେଙ୍କା, ପୁରୁଷୋତ୍ତମ ପାତ୍ର, ଜୟସିଂ ସିଂହ, ରାକେଶ କୁମାର ସିଂହ, ରାଧାମୋହନ ବିଶ୍ୱାଳ ଆଲୋଚନାରେ ଭାଗ ନେଇଥିଲେ ।

ଏହି ଅବସରରେ ବଣେଇଁ ଅଞ୍ଚଳର କର୍ଣ୍ଣେଲ ହରିହର ସାହୁ, ଦୀପକ କୁମାର ନାୟକ, ଦିଲ୍ଲୀପ କୁମାର ମହନ୍ତ ଏବଂ ମହେଶ୍ୱର ପ୍ରଧାନଙ୍କ ସହ ତାଙ୍କର ବହୁ ସମର୍ଥକ ଦଳରେ ଯୋଗଦେଇଥିଲେ । ନବାଗତ ସଭ୍ୟମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାକୁ ରାଉରକେଲା ଓ ସୁନ୍ଦରଗଡ଼ ଏହିପରି ଦୁଇଟି ସାଂଗଠନିକ ଜିଲ୍ଲା କରିବା ପାଇଁ ପୁରୁଷୋତ୍ତମ ପାତ୍ରଙ୍କ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।

By amfnews

Related Post