Sat. Mar 7th, 2026

ଆରବ ସାଗରରେ ବାତ୍ୟା ‘ବାୟୁ’, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ହାଇ ଆଲର୍ଟ

319 Views

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷା ପରେ କେରଳରେ ମୌସୁମୀ ଆସି ପହଞ୍ଚିଯାଇଛି। ମୌସୁମୀ କେରଳର କୋଚି ଦେଇ ଉତ୍ତର ଆଡ଼କୁ ଅଗ୍ରସର ହେଉଛି। ଏପଟେ ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହୋଇ ଭୟର ବାତାବରଣ ଖେଳାଇ ଦେଲାଣି। ଗତ ସପ୍ତାହରେ ଆରବ ସାଗରରେ ସୃଷ୍ଟି େହାଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି ଏବଂମଙ୍ଗଳବାର ଦିନ ଏହା ବାତ୍ୟା ରୂପ ହେବ । ବୁଧବାର ସକାଳକୁ ଏହା ଅଧିକ ଉଗ୍ର ରୂପ ଧାରଣ କରି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ମିଳିଛି। ଏହି ବାତ୍ୟାର ନାଁ ‘ବାୟୁ’ ଦିଆଯିବ ବୋଲି ସ୍ଥିର ହୋଇଛି। ଭାରତ େଦଇଥିବା ନାମ ଅନୁସାରେ ଏହି ବାତ୍ୟାର ନାମକରଣ େହାଇଛି। ଏହା ଏବେ ମୁମ୍ବାଇଠାରୁ ୭୬୦ କିମି ଦୂରରେ ଅଛି।

ବାତ୍ୟାର ପ୍ରଭାବରେ କେରଳ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ୬ ମିଟର ଉଚ୍ଚତାରେ ଜୁଆର ଉଠିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଗୁରୁବାର ଅପରାହ୍ନା ସୁଦ୍ଧା ବାତ୍ୟା ଗୁଜରାଟ ଉପକୁଳବର୍ତ୍ତି ଅଞ୍ଚଳରେ ପହଞ୍ଚିବ। ଏନେଇ କେରଳ , କର୍ଣ୍ଣ‌ାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ହାଇ ଆଲର୍ଟ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଲାକ୍ଷାଦ୍ବୀପରେ ଆସନ୍ତା ୩ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ କେବଳ କର୍ଣ୍ଣାଟକ ଏବଂ କେରଳକୁ ବର୍ଷା ଏବଂ ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜୁନ୍‌ ୧୧ରେ ଲାକ୍ଷାଦ୍ବୀପ, କେରଳ , କର୍ଣ୍ଣାଟକ ଏବଂ ଦକ୍ଷିଣ ମହାରାଷ୍ଟ୍ରରେ ଘଣ୍ଟାକୁ ୪୦-୬୦ କିମି ବେଗରେ ପବନ ବହିବ ଏବଂ ଜୁନ୍‌ ୧୨ରେ ପବନର ‌ବେଗ ବଢ଼ି ୭୦-୯୦ ଏବଂ ୧୩ ତାରିଖରେ ପବନର ବେଗ ୯୦-୧୧୦ ରହିବ ବୋଲି ସୂଚନା ମିଳିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ତେବେ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ।

By amfnews

Related Post