Tue. Dec 24th, 2024

ଆରଏସପି କର୍ମଚାରୀଙ୍କ ପ୍ରଶଂସନୀୟ ମରାମତି କାର୍ଯ୍ୟ ଦ୍ୱାରା ଯନ୍ତ୍ରୋପକରଣ ଉପଲବ୍ଧତାରେ ବୃଦ୍ଧି

By amfnews Sep 13, 2018 #Featured
287 Views

ରାଉରକେଲା, ୧୩ା୯ : ରାଉରକେଲା ଇସ୍ପାତ କାରଖାନାର ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗର କନଭର୍ଟର ‘ବି’ ମୁଭେବୁଲ ହୁଡର ପରିବର୍ତ୍ତନ ଓ ହୁଡ କାର ଗାର୍ଡର ଦୃଢ଼ୀକରଣ ସଫଳତା ସହକାରେ ସମ୍ପନ୍ନ କରି କାରଖାନା ସାମୁଦାୟିକ ନିଜ ଦୃଢ଼ ସଂକଳ୍ପ ଓ ଉଦାହରଣୀୟ ପ୍ରୟାସକୁ ପୁଣିଥରେ ଦୋହରାଇଛନ୍ତି । ମୁଖ୍ୟ ମରାମତି ପରେ ସେପ୍ଟେମ୍ବର ୯ ତାରିଖରେ କନଭର୍ଟର ‘ବି’ ପୁନଃ ଅପରେସନରେ ନିୟୋଜିତ ହୋଇଛି ଏବଂ ଏହା ଅଧିକ ଦୃଢ଼ ଓ ନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ଏସଏମଏସ-୨କୁ ଏହାର ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ସହାୟତା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଉଲ୍ଳେଖନୀୟ ଯେ, ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗର ବିଓଏଫ କନଭର୍ଟର ଉତ୍ତପ୍ତ ଧାତୁକୁ ତରଳ ଇସ୍ପାତରେ ପରିବର୍ତ୍ତନ କରିବା ବିଶୋଧନ ପ୍ରକ୍ରିୟାରେ ରାସାୟନିକ ପ୍ରତିକ୍ରିୟାର ଫଳସ୍ୱରୂପ ବହୁ ପରିମାଣରେ ଗ୍ୟାସ ଉତ୍ପନ୍ନ ହୋଇଥାଏ ।

ଏହାର ଉଚ୍ଚ କ୍ୟାଲୋରିଫିକ ମୂଲ୍ୟଯୁକ୍ତ ଅଟେ ଏବଂ ଏହାକୁ ଜାଳେଣୀ ରୂପେ ଉପଯୋଗ କରାଯାଇଥାଏ । କନଭର୍ଟର ମୁଖରୁ ବାହାରକୁ ନିର୍ଗତ ହେବା ସମୟରେ ଏହା ବାହୁ ସଂସ୍ପର୍ଶରେ ଆସିଲେ ଏହାର ଜାଳେଣୀ ନିପୁଣତା ହ୍ରାସ ଘଟିଥାଏ । ଜଳେଣୀ ନିପୁଣତାକୁ ବଜାୟ ରଖିବା ନିମନ୍ତେ କନଭର୍ଟର ଉପରେ ମୁଭେବୁଲ ହୁଡ ନାମକ ଏକ ବୃହତ ହୁଡ ସ୍ଥାପନା କରାଯାଇଛି । ଇସ୍ପାତ ପ୍ରକ୍ରିୟାକରଣ ସମୟରେ ଏହି ହୁଡକୁ ନିମ୍ନମୁଖି କରି କନଭର୍ଟର ମୁଖ ଉପରେ ଢ଼ାଙ୍କି ରଖାଯାଇଥାଏ । ଏହା ଗ୍ୟାସକୁ ବାହ୍ୟ ବାୟୁ ସଂସ୍ପର୍ଶରେ ଆସିବା ଠାରୁ ରୋକିଥାଏ । କନଭର୍ଟର ‘ବି’ର ମୁଭେବୁଲ ହୁଡର ପରିବର୍ତ୍ତନ ଆବଶ୍ୟକତା ଅନୁଭୂତ ହୋଇଥିଲା ଏବଂ ଏହାର ବାରମ୍ବାର ମରାମତି ଆବଶ୍ୟକ ହେଉଥିଲା ।

ଏହାର ପ୍ରତ୍ୟେକ ମରାମତି ପାଇଁ ୬ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଲାଗୁଥିଲା, ଯଦ୍ୱାରା କନଭର୍ଟର ଉପଲବ୍ଧତା ହ୍ରାସ ପାଉଥିଲା ଏବଂ ଏହା ଏସଏମଏସ-୨ର ଧାର୍ଯ୍ୟ ଉତ୍ପାଦନକୁ ପ୍ରଭାବିତ କରୁଥିଲା । ତେଣୁ ଏସଏମଏସ-୨ ସାମୁଦାୟିକ ମୁଭେବୁଲ ହୁଡ ଓ ଫିକ୍ସଡ ହୁଡର ଅର୍ଦ୍ଧେକ ଅଂଶ ପରିବର୍ତ୍ତନର ଆହ୍ୱାନମୂଳକ କାର୍ଯ୍ୟକୁ ଗ୍ରହଣ କରିଥିଲେ । ଉକ୍ତ ବୃହତ ମରାମତି କାର୍ଯ୍ୟ ଅନ୍ତର୍ଗତ ଗାର୍ଡର ବିମର ନିରୀକ୍ଷଣ ଓ ଦୃଢ଼ୀକରଣ କାର୍ଯ୍ୟ ମଧ୍ୟ ସାମିଲ ଥିଲା । ସୂଚନାଯୋଗ୍ୟ ଯେ, ଗାର୍ଡର ବିମ ଉପରେ ସମୁଦାୟ ମୁଭେବୁଲ ହୁଡ ଯାତାୟତ କରିଥାଏ ।

ଗାର୍ଡର ବିମର ନିରୀକ୍ଷଣ ଓ ଦୃଢ଼ୀକରଣ କାର୍ଯ୍ୟ ଅତ୍ୟନ୍ତ ଆହ୍ୱାନମୂଳକ ରହିଥିଲା କାରଣ ଏହା ସର୍ବଦା ହିଟ୍ ସିଲ୍ଡରେ ଆବୃତ୍ତ ହୋଇରହୁଥିଲା । ସାମୁଦାୟିକ ଦୃଢ଼ନିଷ୍ଠ ପ୍ରୟାସ ଦ୍ୱାରା ଏହି ସମସ୍ତ କାର୍ଯ୍ୟ ସଫଳତା ସହକାରେ ସମ୍ପୂର୍ଣ୍ଣ ସୁରକ୍ଷା ମଧ୍ୟରେ ସମ୍ପନ୍ନ କରିଥିଲେ । ଏହି ଅବଧି ମଧ୍ୟରେ କନଭର୍ଟର ‘ବି’ର ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଯନ୍ତ୍ରୋପକରଣ ଯଥା ସ୍କର୍ଟ, ଆଇଡି ଫ୍ୟାନ ଇତ୍ୟାଦି ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ପ୍ରକଳ୍ପ ବିଭାଗର ସକ୍ରିୟ ସହଯୋଗ ଏବଂ ମେଷର୍ସ ମେକନ ଦ୍ୱାରା ଆବଶ୍ୟକୀୟ ଡିଜାଇନ ସହଯୋଗ ଦ୍ୱାରା ଏହି କାର୍ଯ୍ୟ ସଫଳତା ସହକାରେ ସମ୍ପନ୍ନ ହୋଇଥିଲା ।

By amfnews

Related Post