Mon. Nov 25th, 2024

ଆରଏସପିରେ ସତର୍କତା ସଚେତନତା ସପ୍ତାହ-୨୦୧୮ ପାଳନ ଉଦଯାପିତ

By amfnews Nov 6, 2018 #Featured
95 Views

ରାଉରକେଲା, ୬ା୧୧  : ରାଉରକେଲା ଇସ୍ପାତ କାରଖାନାରେ ସତର୍କତା ସଚେତନତା ସପ୍ତାହ-୨୦୧୮ ପାଳନ ନଭେମ୍ବର ୩ ତାରିଖରେ ଉଦଯାପିତ ହୋଇଯାଇଛି । ସିଭିକ ସେଣ୍ଟର ଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଆରଏସପିର କାର୍ମିକ ଓ ପ୍ରଶାସନ ବିଭାଗର ଇଡି ପି.କେ. ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ, ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନଚାର୍ଜୀ ଗୌତମ ବାନାର୍ଜୀ ଏବଂ ସତର୍କତା ବିଭାଗର ଡିଜିଏମ ତଥା ଏସିଭିଓ ଏ. ସି. ରାଠି ମଣ୍ଟାସୀନ ଥିଲେ ।

ଏହି ଅବସରରେ ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ, ଅନ୍ୟ ବରିଷ୍ଠ ଅôଧକାରୀ, ବିଦ୍ୟାଳୟ ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଷ୍ଟାଫ ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ନିଜର ଅଭିଭାଷଣରେ ଶ୍ରୀ ପ୍ରଧାନ ଆରଏସପିରେ ପାରଦର୍ଶିତାକୁ ବଜାୟ ରଖିବା ନିମନ୍ତେ ଆରଏସପିର ପ୍ରତ୍ୟେକ କାର୍ଯ୍ୟଧାରାରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡିକ ଏବଂ ଦୁର୍ନୀତି ମୁକ୍ତ ଭାରତ ନିର୍ମାଣ ଧ୍ୟେୟ ହାସଲ ନିମନ୍ତେ ସମସ୍ତ ବ୍ୟବସ୍ଥା ଓ ପ୍ରଣାଳୀରେ ଉନ୍ନତି ସାଧନ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । “ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତିରେ ଲିପ୍ତ ନହେବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେଲେ ହେଁ ସମାଜରୁ ଦୂର ହୋଇପାରିବ”, ବୋଲି ସେ ଉଲ୍ଲେଖ କରିଥିଲେ ।

ଏଥି ସଂକ୍ରାନ୍ତରେ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଆରଏସପି ସତର୍କତା ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସେ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ନିଜର ଅଭିଭାଷଣରେ ଶ୍ରୀ ଅଗ୍ରୱାଲ କହିଥିଲେ ଯେ, ସମାଜ ପାଇଁ ଦୁର୍ନୀତି ଏକ ମହାମାରୀ ସଦୃଶ ଅଟେ । ଏହାର ମୂଳୋତ୍ପାଟନ ନିମନ୍ତେ ନିରନ୍ତର ପ୍ରୟାସ ଆବଶ୍ୟକ । ଯୁବବର୍ଗଙ୍କ ମନାସପଟରେ ସଠିକ ମୂଲ୍ୟବୋଧ ଜାଗୃତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଯାହାଦ୍ୱାରା ସେମାନେ ଦୁର୍ନୀତି ବିରୁଦ୍ଧରେ ଲଢିପାରିବେ ।

ଏଥିପୂର୍ବରୁ କର୍ମଚାରୀମାନଙ୍କ ଦ୍ୱାରା ଏକ ମନମୁଗ୍ଧକର ନାଟକ ‘ଦୁର୍ନୀତି’ ମଣ୍ଟସ୍ଥ ହୋଇଥିଲା । ବାକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଓଡିଆ, ହିନ୍ଦୀ ଓ ଇଂରାଜୀରେ ‘ଦୁର୍ନୀତିର ନିରାକରଣ, ଏକ ନୂତନ ଭାରତର ନିର୍ମାଣ’ ସନ୍ଦର୍ଭରେ ନିଜର ବକ୍ତବ୍ୟ ରଖିଥିଲେ । ଉତ୍ସବରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର ବିଜେତା କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସତର୍କତା ବିଭାଗର ଡିଜିଏମ ତଥା ଏସିଭିଓ ଏ. ସି. ରାଠି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସତର୍କତା ବିଭାଗର ଏଜିଏମ ବି. କେ. ଯାଦବ ଧନ୍ୟବାଦ ଜ୍ଞାପନ କରିଥିଲେ । ସିପି-୨ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସୁଶ୍ରୀ ଅଙ୍କିତା ବିଲୁଙ୍ଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

By amfnews

Related Post