Sat. Mar 7th, 2026

ଆମ୍ବୁଲାନ୍ସ ଆସି ନ ପାରିବାରୁ ୪କିମି ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତୀ

178 Views

କାଲିମେଳା: ଆଜି ପୁଣି ମାଲକାନଗିରି ଜିଲ୍ଲାରେ ଜନନୀ ଯନ୍ତ୍ରଣା ଘଟଣାର ପୁନରାବୃତ୍ତି ଘଟିଥିବା ଜଣାଯାଇଛି । ରାସ୍ତା ଖରାପ ଥିବାରୁ ଏକ ଗ୍ରାମକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ପ୍ରସୂତୀ ୪କିମି ଷ୍ଟ୍ରେଚରରେ ବୁହା ହୋଇଥିବାର ଖବର ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କାନ୍ଦିଗୁଡା ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା । ଏହା ଜାଣିବା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ରାସ୍ତା ଭଲ ନଥିବାରୁ କାନ୍ଦିଗୁଡା ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରି ନଥିଲା ।ଫଳରେ ଆମ୍ବୁଲାନ୍ସ କାନ୍ଦିଗୁଡା ଠାରୁ ପ୍ରାୟ ୪କିମି ଦୂରରେ ଅଟକିଥିଲା ।

ଅନ୍ୟ କିଛି ଉପାୟ ନପାଇ ପରିବାର ଲୋକେ ପ୍ରସୂତୀଙ୍କୁ ପ୍ରାୟ ୪ କିମି ଷ୍ଟ୍ରେଚରରେ ବୋହି ନେଇଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ରେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ।ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ପୁଣି ଅସନ୍ତୋଷ ଦେଖା ଦେଇଛି। ଏବେ ଗର୍ଭବତୀ ମହିଳାଙ୍କର କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଥିବା ଜଣାଯାଇଛି।

By amfnews

Related Post