Sun. Mar 8th, 2026

ଆମେରିକାରେ ଗୁଳିକାଣ୍ଡ; ୨୦ ମୃତ

203 Views

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ ସ୍ଥିତ ୱାଲ୍‌ମାର୍ଟ ସପିଂ ମଲ୍‌ରେ ଶନିବାର ଗୁଳିକାଣ୍ଡ ହୋଇଛି। ଏଥିରେ  ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ପୁଲିସ୍ ତିନି ଜଣ ସନ୍ଦିଗ୍ଧକୁ ଧରିଥିବା ଖବର ମିଳିଛି। ତେବେ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଜଣେ ୨୧ ବର୍ଷୀୟ ଯୁବକ ଏହି ଗୁଳିକାଣ୍ଡ ଭିଆଇଛନ୍ତି। ସେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ବି କୁହାଯାଇଛି। ତେବେ ପୁଲିସ୍ ଏନେଇ କିଛି ସ୍ପଷ୍ଟ କରିନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଆମେରିକାରେ ୱାଲ୍‌ମାର୍ଟ ଷ୍ଟୋର୍‌ରେ ଏକ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଗୁଳିକାଣ୍ଡ ଘଟଣା। ସେହିପରି ଗତ ସପ୍ତାହରେ କାଲିଫୋର୍ନିଆର ଗିଲରୋପ ଗାର୍ଲିକ ଫେଷ୍ଟିଭାଲ୍‌ରେ ମଧ୍ୟ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଜୁନ୍ ମାସ ଶେଷ ସପ୍ତାହରେ ଟେକ୍ସାସରେ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ।

By amfnews

Related Post