267 Views
ୱାଶିଂଟନ, ନଭେମ୍ବର ୨୭ : ଆମେରିକାରେ ତାଣ୍ଡବ ରଚୁଛି ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଗଲାଣି ୨୪୦୦ରୁ ଅଧିକ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ।
ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ ଏହା ଆମେରିକାରେ ଗୋଟିଏ ଦିନରେ ସର୍ବାଧିକ କରୋନା ମୃତ୍ୟୁ । ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ ୨୪୩୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।
ଏହା ସହ ଲକ୍ଷାଧିକ ନୂଆ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି । ଆମେରିକାରେ ଏପର୍ଯ୍ୟନ୍ତ ୨ ଲକ୍ଷ ୬୨ ହଜାରରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ଅନ୍ୟପଟେ ଆମେରିକା ଭଳି ସମୃଦ୍ଧ ରାଷ୍ଟ୍ରରେ ସଂକ୍ରମଣ ମାମଲା ବଢ଼ୁଥିବାରୁ ଏଠାକାର ହସ୍ପିଟାଲ୍ମାନଙ୍କରେ ବେଡ୍ ଅଭାବ ମଧ୍ୟ ଦେଖାଦେଲାଣି । ଆମେରିକାର ସହର ଗୁଡିକୁ କବଳିତ କରିବା ପରେ ଏବେ ଏହାର ଛୋଟ ସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିଗଲାଣି କରୋନା। ଯାହା ନିହାତି ପକ୍ଷେ ଏକ ଚିନ୍ତାର ବିଷୟ।