Sat. Mar 7th, 2026

ଆନ୍ଧ୍ରକୁ ଧାନ ଚାଲାଣ ବେଳେ…ତହସିଲଦାରଙ୍କ ଦ୍ବାରା ୬ ଟ୍ରକ୍‌ ଜବତ, ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ

220 Views

ଦିଗପହଣ୍ଡି, ଡିସେମ୍ବର ୧୩ : ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲା ଯାଇନଥିବା ବେଳେ ଚାଷୀ ଅମଳ ଧାନ ଆନ୍ଧ୍ର ଦଲାଲଙ୍କ ହାତରେ ଟେକି ଦେଉଛି। ଆଜି ଦିଗପହଣ୍ଡି ତହସିଲ ଅଂଚଳରେ ଆନ୍ଧ୍ର ଦଲାଲମାନେ ଚାଷୀଙ୍କ ଠାରୁ ଧାନ କିଣି ନେଉଥିବା ବେଳେ ସକାଳ ୭ଟାରେ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ପହଞ୍ଚି ୬ଟି ଧାନ ବୋଝେଇ ଟ୍ରକ୍‌କୁ ଜବତ କରି ଯୋଗାଣ ବିଭାଗକୁ ହସ୍ତାନ୍ତର କରିଥିଲେ। ଯୋଗାଣ ବିଭାଗ ଚାଷୀଙ୍କୁ ସରକାରୀ ଦରରେ ପ୍ରାପ୍ୟ ପ୍ରଦାନ କରିଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ପ୍ରକାଶ ଯେ, ଗଂଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ, ସୋରଡ଼ା, ବୁଗୁଡ଼ା, ଶେରଗଡ଼ ଓ ଜଲମେରାର ୧୦ ଜଣ ଚାଷୀଙ୍କ ଠାରୁ ଆନ୍ଧ୍ରର ଧାନ ବେପାରୀମାନେ ସରକାରୀ ଧାର୍ଯ୍ୟ ଠାରୁ କମ୍‌ ଦରରେ କ୍ରୟ କରି ଦିଗପହଣ୍ଡି ଦେଇ ଆନ୍ଧ୍ରକୁ ଚାଲାଣ କରୁଥିବା ବେଳେ ଦିଗପହଣ୍ଡି ପୁଞ୍ଜିକୟାଁ ଛକଠାରେ ତହସିଲଦାର ଶ୍ରୀ ସ୍ବାଇଁ ଧାନ ବୋଝେଇ ଟ୍ରକ୍‌କୁ ଜବତ କରି ଯୋଗାଣ ବିଭାଗକୁ ହସ୍ତାନ୍ତର କରିଥିଲେ। ସହକାରୀ ଯୋଗାଣ ଅଧିକାରୀ ରବିନ୍ଦ୍ର ବେହେରା ଓ ଦିଗପହଣ୍ଡି ଯୋଗାଣ ନିରୀକ୍ଷକ ସୌଭାଗ୍ୟ ରଂଜନ ନାୟକ ଚାଷୀଙ୍କ ଠାରୁ ଧାନ କ୍ରୟ କରିଥିବା ଆନ୍ଧ୍ରବେପାରୀମାନଙ୍କୁ ଡକାଇ ୧୦ ଜଣ ଚାଷୀଙ୍କୁ ୪୪୦ କୁଇଣ୍ଟାଲ୍‌ ୨୦ କିଲୋଗ୍ରାମ୍‌ ଧାନ ସରକାରୀ ଦରରେ କୁଇଣ୍ଟାଲ୍‌ ପିଛା ୧୭୫୦ ଟଙ୍କା ଲେଖାଏଁ ୭ ଲକ୍ଷ ୭୦ ହଜାର ୩୫୦ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ, ଚାଷୀ ଅମଳଧାନ ଖଳାରେ ରଖିବାକୁ ଭୟ କରି ମଣ୍ଡିନଥିବା ଯୋଗୁଁ ଆନ୍ଧ୍ର ବେପାରୀଙ୍କୁ ଶାଗମାଛ ଦରରେ ବିକ୍ରି କରି ଦେଉଛନ୍ତି। ଏଣୁ, ତୁରନ୍ତ ଧାନ ମଣ୍ଡି ଖୋଲିବାକୁ ଚାଷୀ ମହଲରେ ଦାବି ହେଉଛି।

By amfnews

Related Post