Sat. Mar 7th, 2026

ଆଜି ସରିବ ଚିଦାମ୍ୱରମଙ୍କ ରିମାଣ୍ଡ ଅବଧି

218 Views

ନୂଆଦିଲ୍ଲୀ  : ଆଇନର ଚକ୍ରବ୍ୟୁହରେ ଫସିଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମ୍। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ରିମାଣ୍ଡରେ ଥିବା ଚିଦାମ୍ୱରମଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଏହାପରେ ସିବିଆଇ ଯଦି ଅଧିକ ରିମାଣ୍ଡ ଅବଧି ପାଇଁ ସୁପ୍ରିମକୋର୍ଟରେ ଅପିଲ୍ କରିବ ତା’ହେଲେ ସେ ପୁଣି ରିମାଣ୍ଡରେ ଯିବେ। ନଚେତ୍ ଚିଦାମ୍ୱରମଙ୍କୁ ତିହାର ଜେଲ୍ ପଠା ଯାଇପାରେ ବୋଲି ସୂଚନା ରହିଛି।

ଚିଦାମ୍ୱରମଙ୍କ ତରଫରୁ ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ଶିବଲ୍ ଏବଂ ଅଭିଷେକ ମନୁ ସିଂହଭି ସିବିଆଇ ଦ୍ୱିତୀୟ ଥର ପାଇଁ ଚିଦାମ୍ୱରମଙ୍କୁ ରିମାଣ୍ଡରେ ନେବା ବେଳେ ବିରୋଧ କରିଥିଲେ। କହିଥିଲେ ଚିଦାମ୍ୱରମଙ୍କୁ ହଇରାଣ ଏବଂ ଅପମାନିତ କରିବା ପାଇଁ ସିବିଆଇ ଏମିତି ରିମାଣ୍ଡରେ ନେଉଛି। ଏବେ କିନ୍ତୁ ସିବିଆଇ କୋର୍ଟରେ ଅଧିକ କାଳ ରିମାଣ୍ଡ ପାଇଁ ଆବେଦନ କରିନଥିବା ବେଳେ ଚିଦାମ୍ୱରମଙ୍କ ଓକିଲ କୋର୍ଟରେ କହିଛନ୍ତି ସୋମବାର ଯାଏ ଚିଦାମ୍ୱରମ ସିବିଆଇ ରିମାଣ୍ଡରେ ରହିଲେ କୌଣସି ଅସୁବିଧା ନାହିଁ। ଏହା ଚିଦାମ୍ୱରମଙ୍କ ମାମଲାରେ ଟୁଇଷ୍ଟ ଆଣିଛି।

ସିବିଆଇ ଓ ଇଡି ଜାଲରେ ଫସିଥିବା ଚିଦାମ୍ୱରମଙ୍କ ଓକିଲଙ୍କର ଏଭଳି ଆଗୁଆ ତର୍କରେ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏହାପରେ ସେ ମଧ୍ୟ ନିଜର ଯୁକ୍ତିରେ ପରିବର୍ତ୍ତନ କରି ଚିଦାମ୍ୱରମଙ୍କୁ ତିହାର ଜେଲ ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ତେବେ ଆଜି ଚିଦାମ୍ୱରମଙ୍କ ରିମାଣ୍ଡ ଅବଧି ଶେଷ ହେବାପରେ ଆଉଥରେ ରିମାଣ୍ଡରେ ନନେବାକୁ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିବ ନାହିଁ ବୋଲି ସୂଚନା ରହିଛି। ଫଳରେ ଚିଦାମ୍ୱରମ ତିହାର ଜେଲ୍ ଯିବା ନିଶ୍ଚିତ ହୋଇଯିବ।

୫ ସେପ୍ଟମ୍ୱରରେ ସିବିଆଇର ସ୍ୱତନ୍ତ୍ର ଅଦାଲତଙ୍କ ନିଷ୍ପତ୍ତି ପରେ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ଅନ୍ୟ ସାକ୍ଷୀଙ୍କୁ ଚିଦାମ୍ୱମରମଙ୍କ ସହ ସାମ୍ନାସାମ୍ନି ଜେରା ହେବ କି ନାହିଁ, ସେ  ନିଷ୍ପତ୍ତି ନିଆଯିବ। ଇଡି ସୁପ୍ରିମକୋର୍ଟରେ ଚିଦାମ୍ୱରମଙ୍କ ବିରୋଧରେ କେତେ ଦୃଢ ଯୁକ୍ତି ଦର୍ଶାଇବ ତାହା ଉପରେ ସବୁ ନିର୍ଭର କରେ। ସୂଚନାଯୋଗ୍ୟ, ୫ ତାରିଖ ଯାଏ ଇଡି ଚିଦାମ୍ୱରମଙ୍କୁ ଗିରଫ କରିପାରିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ଆଦେଶ ଦେଇଛନ୍ତି।

By amfnews

Related Post