Tue. Dec 24th, 2024

ଆଜି ପ୍ରଥମାଷ୍ଟମୀ, ପ୍ରଥମ ସନ୍ତାନଙ୍କ ପାଇଁ ସ୍ୱତନ୍ତ୍ର ପୂଜା, ଘରେ ଘରେ ଏଣ୍ଡୁରୀ ପିଠାର ମହକ

By amfnews Nov 30, 2018 #Featured
191 Views

ଭୁବନେଶ୍ୱର, ନଭେମ୍ବର ୩୦: ଆଜି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଓଡିଆ ମାନେ ଏହି ଦିନଟିକୁ ପ୍ରଥମାଷ୍ଟମୀ ଭାବରେ ପାଳନ କରିଥାନ୍ତି । ଘରର ପ୍ରଥମ ସନ୍ତାନମାନଙ୍କ ନିମିତ ସ୍ୱତନ୍ତ୍ର ପୂଜା କରାଯିବାର ପରମ୍ପରା ରହିଛି  । ଘରେ ଘରେ ଜ୍ୟେଷ୍ଠ ସନ୍ତାନମାନେ ନୂତନ ବସ୍ତ୍ର ପରିଧାନ କରିବା ସହ ସେମାନଙ୍କୁ ବନ୍ଦାପନା କରାଯାଇଥାଏ । ଜ୍ୟେଷ୍ଠ ସନ୍ତାନଙ୍କର ଶୁଭ ମନାସୀ ଶ୍ରୀଗଣେଶ, ଷଠୀ ଦେବୀ ଓ କୂଳ ଦେବତାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥାଏ ।

ପ୍ରଥମ ସନ୍ତାନଙ୍କୁ ପଢୁଆଁ କରିବାକୁ ମାମୁଁଘରୁ ନୂତନ ବସ୍ତ୍ର ଆସିଥାଏ । ନୂଆବସ୍ତ୍ର ପିନ୍ଧି ହଳଦୀ ପତ୍ରରେ ତିଆରୀ ସ୍ୱତନ୍ତ୍ର ଏଣ୍ଡୁରୀ ପିଠା ଖାଇଥାଆନ୍ତି ପ୍ରଥମ ସନ୍ତାନ ।

ଆଜି ମଧ୍ୟ କାଂଜି ଅଅଁଳା ଓଷା ପାଳନ କରାଯାଇଥାଏ । ଷଠୀ ଦେବୀଙ୍କ ନିକଟରେ ଶୁଖୁଆ ଭୋଗ କରାଯାଇଥାଏ । ଷଠୀ ଦେବୀଙ୍କ ସମ୍ମୁଖରେ ସାତୋଟି ଶୁଖୁଆ, କଜଳ, ସିନ୍ଦୂର ଓ ପୀତ ବସ୍ତ୍ର ରଖାଯିବା ସହ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କାଂଜି ଭୋଗ କରାଯାଇଥାଏ ।  ଭୁବନେଶ୍ୱରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜ ତାଙ୍କ ମାମୁଁ ଘର କପାଳୀ ମଠକୁ ଯାଇଥାନ୍ତି । ସେହିପରି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ତିନିବାଡରେ ମଙ୍ଗଳାର୍ପଣ ହୋଇ ପୁଳୁଫୁଆରି ଖଦୀ ଓ ଛେଦା ପ୍ରସାଦ ଲାଗି ହୋଇଥାଏ ।

By amfnews

Related Post