Sat. Mar 7th, 2026

ଆଜି ନିର୍ଭୟା ନ୍ୟାୟ ପାଇଲା ଏବଂ ଦେଶର ଝିଅମାନେ ନ୍ୟାୟ ପାଇଲେ: ଆଶା ଦେବୀ

214 Views

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ନିର୍ଭୟାଙ୍କ ମା ଆଶା ଦେବୀ ନ୍ୟାୟପାଳିକା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ବିଳମ୍ବ ହେଉ ପଛେ ନ୍ୟାୟ ମିଳିଛି।

ଗଣମାଧ୍ୟମକୁ ଆଶା ଦେବୀ କହିଛନ୍ତି ଯେ ଗତରାତିରେ ସୁପ୍ରିମ୍‌ କୋର୍ଟରୁ ଫେରିବା କ୍ଷଣି ମୁଁ ଝିଅର ଫଟୋକୁ କୋଳେଇ ନେଇ କହିଲି ଆଜି ତୁ ନ୍ୟାୟ ପାଇଛୁ। ସେ ଆହୁରି କହିଛନ୍ତି ଯେ ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ୪ ଦୋଷୀଙ୍କ ଫାଶୀଦଣ୍ଡର ଦୃଷ୍ଟାନ୍ତ ଦେଇ ଏବେ ଲୋକେ ସେମାନଙ୍କ ପୁଅମାନଙ୍କୁ ଶିକ୍ଷା ଦେବେ। ଏହା ସମଗ୍ର ଦେଶ ପାଇଁ ଏକ ସନ୍ଦେଶ। ଏବେ ଝିଅମାନେ ନିରାପଦ ମଣିବେ।

ସେ ପୁଣି କହିଲେ ଯେ ଆମ ଝିଅ ଆଉ ନାହିଁ କି, ଫେରିବ ନାହିଁ। ସେ ଚାଲିଯିବା ପରେ ଆମେ ଏହି ସଂଗ୍ରାମ ଆରମ୍ଭ କରିଥିଲୁ। ଏ ସଂଗ୍ରାମ ତା’ ପାଇଁ ଥିଲେ ବି ଆମେ ଆମ ଭବିଷ୍ୟତର ଝିଅମାନଙ୍କ ପାଇଁ ସଂଗ୍ରାମ ଚାଲୁ ରଖିବୁ।

ଚାରି ଦୋଷୀ ଫାଶୀ ପାଇବା ପରେ ଆଶା ଦେବୀ ତାଙ୍କ ଭଉଣୀ ଓ ଓକିଲଙ୍କୁ କୁଣ୍ଢାଇ ପକାଇଥିଲେ। ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେ କହିଥିଲେ ଯେ ଶେଷରେ ଦୋଷୀମାନଙ୍କୁ ଫାଶୀ ଦିଆଗଲା। ଏଇଟା ଥିଲା ଆଠ ବର୍ଷର ସଂଗ୍ରାମ। ବିଳମ୍ବ ହେଲେ ବି ଆମେ ନ୍ୟାୟ ପାଇଲୁ। ଆଜି ନିର୍ଭୟା ନ୍ୟାୟ ପାଇଲା ଏବଂ ଦେଶର ଝିଅମାନେ ନ୍ୟାୟ ପାଇଲେ। ଏଥିପାଇଁ ମୁଁ ନ୍ୟାୟପାଳିକା, ସରକାର ଏବଂ ପ୍ରତ୍ୟକ ନାଗରିକଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।

By amfnews

Related Post