Sat. Mar 7th, 2026

ଆଜି କଟକରେ ପହଞ୍ଚିବେ ଜଗା-କାଳିଆ

232 Views

ଭୁବନେଶ୍ୱର : ପ୍ରାୟ ୨ ବର୍ଷ ପରେ ଆଜି ଓଡ଼ିଶାରେ ପହଞ୍ଚିବେ ଜଗା-କାଳିଆ। ଅପରାହ୍ନରେ ସେମାନେ କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍‌ସିବିକୁ ନିଆଯିବ।

ଏସ୍‌ସିବିରେ ଜଗାକାଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କୋଠରୀ ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ୧୬ ଜଣିଆ ଟିମ୍ ଗଠନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମ୍‌ରେ ସାମିଲ କରାଯିବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି।

ଗତକାଲି ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ କଟକ ଅଭିମୁଖେ ବାହାରିଛନ୍ତି ଜଗା କାଳିଆ। ଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଦୀପକ ଗୁପ୍ତା ଓ ନ୍ୟୁରୋ ଆନାସ୍ଥେସିଆ ବିଭାଗ ଡାକ୍ତର ଗିରିଜା ରଥଙ୍କ ସହ ଓଡ଼ିଶା ନିବାସ କର୍ମଚାରୀଙ୍କୁ ମିଶାଇ ମୋଟ ୧୧ ଜଣ ଜଗା କାଳିଆଙ୍କ ସହ ଆସୁଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରୁଛନ୍ତି। ୨୦୧୭ରେ ଏ ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ଖବର ପ୍ରଥମେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଶିଶୁ ଦ୍ୱୟଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇଥିଲେ।

By amfnews

Related Post