194 Views
ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ମାମଲାରେ ଶୀର୍ଷ ଅଦାଲତଙ୍କ ରାୟକୁ ଚାଲେଞ୍ଜ୍ କରି ଦାଏର କରାଯାଇଥିବା ରିଭ୍ୟୁ ପିଟିସନ୍ଗୁଡ଼ିକର ଶୁଣାଣି ମୁକ୍ତ ଅଦାଲତରେ କରାଯିବ କି, ନାହିଁ, ତାହାର ନିଷ୍ପତ୍ତି ନେବାକୁ ଗୁରୁବାର ଦିନ ସୁପ୍ରିମ୍ କୋର୍ଟର ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏକ ରୁଦ୍ଧଦ୍ୱାର ଶୁଣାଣିର ଆୟୋଜନ କରିଛନ୍ତି।
ପ୍ରଧାନ ବିଚାରପତି ଏସ୍ଏ ବୋବଡ଼େଙ୍କ ନେତୃତ୍ୱାଧୀନ ସୁପ୍ରିମ୍ କୋର୍ଟର ଏହି ଖଣ୍ଡପୀଠରେ ରହିଛନ୍ତି ବିଚାରପତି ଡି. ଓ୍ଵାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ଏସ୍ଏ ନଜୀର ଏବଂ ସଞ୍ଜୀବ ଖାନ୍ନା। ଅପରାହ୍ଣ ୧: ୪୦ ମିନିଟ୍ରେ ଖଣ୍ଡପୀଠ ରୁଦ୍ଧଦ୍ୱାର ଶୁଣାଣି ଆରମ୍ଭ କରିବେ। ନଭେମ୍ବର ୯ ତାରିଖ ଦିନ ଏହି ମାମଲାର ଶୁଣାଣି କରିଥିବା ୫ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠରେ ଜଷ୍ଟିସ୍ ଖାନ୍ନା ନ ଥିଲେ।ଯଦି ମୁକ୍ତ ଅଦାଲତ ଶୁଣାଣି ପାଇଁ ଶୀର୍ଷ ଅଦାଲତ ନିଷ୍ପତ୍ତି ନିଅନ୍ତି, ତେବେ ପୁଣି ଥରେ ସବୁ ପକ୍ଷମାନଙ୍କର ଯୁକ୍ତି ଶୁଣିବାକୁ ପଡ଼ିବ। ଯଦି ଖଣ୍ଡପୀଠ ଏହା ନ କରିବାକୁ ସ୍ଥିର କରନ୍ତି, ତେବେ ପିଟିସନ୍ଗୁଡ଼ିକର ପୁନର୍ବିଚାର ଖାରଜ ହେବ। ସୁପ୍ରିମ୍ କୋର୍ଟଙ୍କ ଏହି ଐତିହାସିକ ରାୟକୁ ଚାଲେଞ୍ଜ୍ କରି ଏ ପର୍ଯ୍ୟନ୍ତ ସାତଟି ପିଟିସନ୍ ଫାଇଲ୍ କରାଯାଇଛି।

