Sat. Mar 7th, 2026

ଆଜି ଅପରାହ୍ଣରେ ଲ୍ୟାଣ୍ଡ୍‌ଫଲ୍ କରିବ ବାତ୍ୟା ‘ନିସର୍ଗ’; ମହାରାଷ୍ଟ୍ର ଓ ଗୁଜରାଟରେ ହାଇ ଆଲର୍ଟ

210 Views

ନୂଆଦିଲ୍ଲୀ : ଗତ ଛଅ ଘଣ୍ଟା ହେବ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ଉତ୍ତର ମହାରାଷ୍ଟ୍ର ଉପକୂଳ ଆଡ଼କୁ ମୁହାଁଉଥିବା କଥା ଆଜି ଭାରତୀୟ ପାଣିପାଗ ବିଭାଗ କହିଛି। ସମ୍ପ୍ରତି ଏହି ସାମୁଦ୍ରିକ ବାତ୍ୟା ଆଲିବାଗର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୧୫୫ କିଲୋମିଟର ଦୂର ଏବଂ ମୁମ୍ବାଇର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୨୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆଜି ଅପରାହ୍ଣରେ ଏହା ଆଲିବାଗ ଠାରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।

ଲ୍ୟାଣ୍ଡଫଲ୍ କରିବା ପରେ ଏହା ଉତ୍ତର-ଉତ୍ତରପୂର୍ବ ମୁହାଁ ହୋଇ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଉପକୂଳ ମଧ୍ୟ ଦେଇ ହରିହରେଶ୍ବର ଏବଂ ଦାମନ ଅତିକ୍ରମ କରିବ। ବାତ୍ୟା ପ୍ରଭାବରୁ ଧନଜୀବନ ରକ୍ଷା କରିବା ପଦକ୍ଷେପସ୍ବରୂପ ମହାରାଷ୍ଟ୍ର ଏବଂ ଗୁଜରାଟ ସରକାର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।

ଅତି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିଥିବା ନିସର୍ଗ ସ୍ଥଳଭାଗରେ ପ୍ରବେଶ କରିବା ଅବ୍ୟବହିତ ପୂର୍ବରୁ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅନ୍ତର୍ଗତ ଆଲିବାଗ୍, ମୁମ୍ବାଇ ଏବଂ ଏହାର ମେଟ୍ରୋପଲିଟାନ୍ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ବେଳ ଠାରୁ ଅନର୍ଗଳ ବର୍ଷା ହେଉଛି।

By amfnews

Related Post