Tue. Dec 24th, 2024

ଆଜିଠୁ ବ୍ୟାଙ୍କ ଉପରେ ଲାଗିଲା କଟକଣା, ବ୍ୟାଙ୍କିଂ ସମୟ ବଦଳିବା ସହିତ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ରାଜ୍ୟର ସମସ୍ତ ବ୍ୟାଙ୍କ

By amfnews Apr 27, 2021 #Featured
149 Views

ଭୁବନେଶ୍ୱର, ଏପ୍ରିଲ ୨୭ : ଏବେ ରାଜ୍ୟରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । କ୍ରମାଗତ ଭାବରେ ୬ ଦିନ ଧରି ୬ ହଜାର ପାର କରୁଛି ଦୈନିକ କରୋନା ସଂକ୍ରମଣ । ଏସବୁ କୁ ଦୃଷ୍ଟିରେ ରଖି ରାଜ୍ୟର ସରକାରୀ ଓ ବେସରକାରୀ ଅଫିସ୍ ଗୁଡିକ ପାଇଁ ପୁଣି ଫେରିଛି କଟକଣା । 

ଏବେ ରାଜ୍ୟର ସମସ୍ତ ବ୍ୟାଙ୍କ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ସଂକ୍ରମଣ କୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ କରାଯାଇଛି । ସକାଳ ୧୦ ଟାରୁ ଅପରାହ୍ନ ୨ ଟା ଯାଏଁ ଗ୍ରାହକ ସେବା ଯୋଗାଇବ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ । ମାତ୍ର ୪ ଘଣ୍ଟାର ଗ୍ରାହକ ସେବା ସହିତ କର୍ମଚାରୀ ମାନଙ୍କ ଅଫିସ୍ ଆସିବା ଉପରେ ମଧ୍ୟ କଟକଣା ଲାଗିଛି ।

ଆଜିଠୁ ମାତ୍ର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବ୍ୟାଙ୍କ । ରୋଟେସନ୍ ରେ କର୍ମଚାରୀ ମାନେ ବ୍ୟାଙ୍କ ଆସିବେ ଓ ବ୍ୟାଙ୍କ ପରିସରରେ କଡାକଡି ଭାବରେ ସାମାଜିକ ଦୂରତା ଓ ଅନ୍ୟ ନିୟମ ସବକୁ ପାଳନ କରାଯିବା ପାଇଁ କଡା ନିର୍ଦ୍ଦେଶ ରହିଛି । ମତ୍ରେ ପୂର୍ବ ଭଳି ସକାଳ ୧୦ ଟାରୁ ଦିନ ୪ ଟା ଯାଏଁ ବ୍ୟାଙ୍କ ଖୋଲା ରହିବ କେବଳ ଗ୍ରାହକ ସେବା ସମୟରେ ପରିବର୍ତ୍ତନ କରାଯାଇଛି ।

ବ୍ୟାଙ୍କରେ ଭିଡ କମାଇବାକୁ ଏଟିଏମ ଗୁଡିକରେ ଅଧିକ ମାତ୍ରାରେ ଟଙ୍କା ଜମା ରଖିବା ପାଇଁ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରାଯାଇଛି । ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ୟାଙ୍କ ଉପରେ ଏହିଭଳି କଟକଣା ଲଗାଯାଇଛି । ମେ ୧୫ ପରେ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନ ମାନଙ୍କରେ କଟକଣା କୋହଳ କରାଯିବ ନା ଆହୁରି କଡାକଡି କରାଯିବ ତାହାର ନିଷ୍ପତି ନିଆଯିବ ବୋଲି ଜଣାପଡିଛି ।

By amfnews

Related Post