Sat. Mar 7th, 2026

ଆଜିଠୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ : ଛତିଶଗଡ଼ ଓ ଆନ୍ଧ୍ର ସୀମା ସିଲ୍‌ କଲା ପୁଲିସ

260 Views

ମାଲକାନଗିରି : ସୋମବାରଠାରୁ ଆରମ୍ଭ ହେଉଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରିବାକୁ ନକ୍ସଲ ଆହ୍ବାନ ଦେଇଛନ୍ତି। ଏଥିପାଇଁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ପୋଷ୍ଟର ତଥା ବ୍ୟାନର ମାରି ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ମାଲକାନଗିରି ପୁଲିସ ପକ୍ଷରୁ ଛତିଶଗଡ଼ ଏବଂ ଆନ୍ଧ୍ର ସୀମାକୁ ସିଲ୍ କରାଯାଇଛି। ବିଏସ୍‌ଏଫ୍‌, ଏସଓଜି, ଡିଭିଏଫ ଯବାନଙ୍କ ଦ୍ବାରା କମ୍ବିଂ ଅପରେସନ ଜାରି ରହିଛି। ଜିଲ୍ଲା ସୀମାରେ ଅଚିହ୍ନା ଲୋକଙ୍କ ଯାନବାହାନ ଯାଞ୍ଚ କରାଯାଉଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କୁହାଯାଇଛି।

ନକ୍ସଲ ପିଏଲ୍‌ଜିଏ ସପ୍ତାହ ସମୟରେ ଅଧିକ ହିଂସାତ୍ମକ ହୋଇପଡ଼ନ୍ତି। ତେଣୁ ଦୁର୍ଗମ ଅଂଚଳର ଲୋକେ ଭୟ ତଥା ଆତଙ୍କରେ ରହିଥିବା ଦେଖିବାକୁ ମିଳିଛି। ସ୍ଥିତି ସ୍ବାଭାବିକ ରଖିବା ପାଇଁ ପୁଲିସ ତରଫରୁ ଆଗକୁ ପଦକ୍ଷେପ ନିଆଯାଇଛି। ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇ ଗାଡ଼ି ଚଳାଚଳକୁ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି। ସନ୍ଦିଗ୍ଧ ଗତିବିଧି ଲକ୍ଷ୍ୟ କଲେ ପୁଲିସକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ କହିଛି।

ଏହାବ୍ୟତୀତ ପୁଲିସ ପକ୍ଷରୁ ସ୍ବାଭିମାନ ଅଂଚଳରେ ନକ୍ସଲଙ୍କୁ ଦମନ କରିବା ପାଇଁ ଆଉ ଗୋଟିଏ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା କରାଯିବ। ହନ୍ତାଳଗୁଡ଼ା ଠାରେ ଏହି ବିଏସଏଫ କ୍ୟାମ୍ପକୁ ସ୍ଥାପନ କରିବାକୁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ପୂର୍ବରୁ ଯାନବାଇଠାରୁ ସାତ କିଲୋମିଟର ଦୂର ଯନ୍ତାପାଇଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହି କ୍ୟାମ୍ପ୍‌ ପରେ ସ୍ଥାନୀୟ ଅଂଚଳରେ ନକ୍ସଲଙ୍କ ଗତିବିଧି ଏକ ପ୍ରକାର ବନ୍ଦ ହୋଇଯାଇଛି।

ପାଇକମାଳରେ ମାଓ ପୋଷ୍ଟର-ବ୍ୟାନର
ପାଇକମାଳ : ବହୁ ଦିନର ନିରବତା ପରେ ପୁଣି ମାଓବାଦୀ ବରଗଡ଼ ଜିଲ୍ଲା ପାଇକମାଳ ଅଂଚଳରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ରବିବାର ସକାଳେ ପାଇକମାଳ ଥାନା ଜାମସେଠ ପଂଚାୟତ ଚେରଙ୍ଗାଝାଞ୍ଜ ବସଷ୍ଟାଣ୍ଡ ଠାରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ଆସନ୍ତାକାଲି (୨ ତାରିଖ ସୋମବାର) ଠାରୁ ୮ ତାରିଖ ଯାଏଁ ପିଏଲ୍‌ଜିଏ ସପ୍ତାହ ପାଳନ କରିବାକୁ ପୋଷ୍ଟର ଜରିଆରେ ମାଓବାଦୀ ନିର୍ଦେଶ ଦେଇଛନ୍ତି। ଚଳିତ ଡିସେମ୍ବର ୬କୁ ହିନ୍ଦୁ ଫାସିବାଦୀ ବିରୋଧ ଦିବସ ଭାବେ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। ବ୍ୟାନର ଓ ପୋଷ୍ଟରରେ ଭାକପା (ମାଓବାଦୀ) ବରଗଡ଼ ଗନ୍ଧମାର୍ଦ୍ଦନ ସରିଆ କମିଟି ମାଓବାଦୀ ବୋଲି ଉଲ୍ଲେଖ ରହିଛି। ପୁଲିସ୍‌ ଉକ୍ତ ବ୍ୟାନର ଓ ପୋଷ୍ଟର ଜବତ କରିଛି। ଗତ ମାସରେ ଗନ୍ଧମାର୍ଦ୍ଦନରେ ମାଓ କ୍ୟାମ୍ପ ଠାବ ହୋଇଥିଲା। ଏଠାରେ ତଲାସୀ ଅଭିଯାନ ତ୍ବରାନ୍ବିତ କରାଯାଇଥିବା ଜଣାଯାଇଛି।

By amfnews

Related Post