Wed. Dec 25th, 2024

ଆଜିଠାରୁ ନବନିର୍ମାଣ ଯୁବଛାତ୍ର ସଂଗଠନର ପଦଯାତ୍ରା, ଆନ୍ଦୋଳନ ଭଣ୍ଡୁର କରିବାକୁ ଚାଷୀଙ୍କୁ ଅଟକ ଅଭିଯୋଗ

By amfnews Oct 29, 2018 #Featured
311 Views

ଭୁବନେଶ୍ୱର, ଅକ୍ଟୋବର ୨୯ : ଚାଷୀଙ୍କ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପାଇଁ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନର ଆହ୍ୱାନ ଦେଇଛି । ଏଥିରେ ସାମିଲ ହେବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଚାଷୀଙ୍କୁ ଅନେକ ସ୍ଥାନରେ ଅଟକ ରଖାଯାଇଥିବାନେଇ ସଂଗଠନର ଆବାହକ ଅକ୍ଷୟ କୁମାର ଅଭିଯୋଗ ଆଣିଛନ୍ତି ।

ଅକ୍ଷୟ କହିଛନ୍ତି ଯେ, ଆଜି କେନ୍ଦୁଝର ରେଳ ଷ୍ଟେସନରେ ପ୍ରାୟ ୫୦୦ ଚାଷୀଙ୍କ ପୋଲିସ ଅଟକ ରଖିଛି । ମହିଳା ଚାଷୀଙ୍କୁ କଲ୍ୟାଣ ମଣ୍ଡପରେ ଓ ପୁରୁଷ ଚାଷୀଙ୍କୁ ଟାଉନ ଥାନାରେ ଅଟକ ରଖାଯାଇଛି । ସଂଗଠନ ସଂଯୋଜକ ସୁବାଷ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇ ଯାଇଥିବା ଅଭିଯୋଗ ହୋଇଛି । ଅଟକ ଥିବା ଚାଷୀମାନେ କୁଆଖିଆରୁ ଭୁବନେଶ୍ୱର ଯାଏଁ ପଦଯାତ୍ରାରେ ସାମିଲ ହେବାକୁ ଯାଉଥିବାବେଳେ ସେମାନଙ୍କୁ ପୋଲିସ ଅଟକ ରଖିଛି । ସଂଗଠନ ଡାକିଥିବା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାରୀ କଳକୁ ବ୍ୟବହାର କରାଯାଉଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି ।

ସେହିପରି ଗତକାଲି  ବାଲୁଗାଁ ଓ ଖୋର୍ଦ୍ଧାରୁ ଆସୁଥିବା ଚାଷୀଙ୍କୁ ମଧ୍ୟ ଅଟକାଇଥିବା ଅଭିଯୋଗ ହୋଇଥିଲା । ଚାଷୀମାନେ ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଉଥିବାବେଳେ ସରକାର ଏହାକୁ ବିରୋଧ କରୁଥିବା ଅଭିଯୋଗ ଆଣିଛନ୍ତି ଗରିବ ନିରୀହ ଚାଷୀ ।

ଉଲ୍ଲେଖଯୋଗ୍ୟ କି,  ଆଜିଠାରୁ ନଭେମ୍ବର ୫ ଯାଏଁ  ନବନିର୍ମାଣ ଯୁବ ଛାତ୍ର ସଂଗଠନ ପଦଯାତ୍ରାର ଆୟୋଜନ କରିଛି । ପୂର୍ବରୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ଭଣ୍ଡଉଥିବା ସରକାରଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ପଦଯାତ୍ରାରେ ସାମିଲ ହେବା ନେଇ ଯୁବଛାତ୍ର ସଂଗଠନ ସ୍ଥିର କରିଥିଲା  । ପଦଯାତ୍ରାରେ ବାଲୁଗାଁ , ଖୋର୍ଦ୍ଧା ଓ କୁଆଖିଆରୁ ପ୍ରାୟ ୩ ଲକ୍ଷ ଚାଷୀ  ଆସି ଭୁବନେଶ୍ୱରରେ ଏକଜୁଟ ହେବା ନେଇ ସଂଗଠନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା ।

By amfnews

Related Post