Sun. Mar 8th, 2026

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ କପ୍‌: ସ୍ୱର୍ଣ୍ଣପଦକ ସହ ବିଶ୍ୱ ରେକର୍ଡ କଲେ ମନୁ ଭାକର

347 Views

ନୂଆଦିଲ୍ଲୀ: ଚୀନ୍‌ର ପୁତିଆନ୍‌ ଠାରେ ଚାଲିଥିବା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସୁଟିଙ୍ଗ୍‌ ସ୍ପୋର୍ଟ ଫେଡେରେସନ୍‌ର (ଆଇଏସ୍‌ଏସ୍‌ଏଫ୍‌) ରାଇଫଲ୍‌ ଏବଂ ପିସ୍ତଲ ବିଶ୍ୱକପ୍‌ରେ ଗୁରୁବାର ଦିନ ଭାରତୀୟ ସୁଟର୍‌ ମନୁ ଭାକର ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ଜିଣି ଭାରତକୁ ଗୌରବାନ୍ଵିତ କରିଛନ୍ତି।

ଟୁର୍ଣ୍ଣାମେଣ୍ଟ୍‌ର ମହିଳା ବିଭାଗରେ ୧୦ ମିଟର ଏୟାର୍‌ ପିସ୍ତଲ୍‌ ଚାଳନାରେ ୧୭ ବର୍ଷୀୟ ମନୁ ୨୪୪. ୭ ସ୍କୋର୍‌ ପୋଷ୍ଟିଙ୍ଗ୍‌ କରି ଏହି ସଫଳତା ହାସଲ କରିଛନ୍ତି। ଏଥିସହ ସେ କନିଷ୍ଠ ବିଶ୍ୱ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ କପ୍‌ ୧୦ ମିଟର୍‌ ଏୟାର୍‌ ପିସ୍ତଲ ଚାଳନାରେ ହୀନା ସିଦ୍ଧୁଙ୍କ ପରେ ମନୁ ହେଉଛନ୍ତି ଦ୍ୱିତୀୟ ଭାରତୀୟ ସୁଟର୍‌।

ଏହି ମ୍ୟାଚ୍‌ରେ ୨୪୧. ୯ ସ୍କୋର୍‌ କରି ସର୍ବିଆର ଜୋରାନା ଅରୁନୋଭିକ୍‌ ରୌପ୍ୟ, ୨୨୧. ୮ ସ୍କୋର୍‌ କରି ଚୀନ୍‌ର କ୍ୟୁଆନ୍‌ ଓ୍ଵାଙ୍ଗ୍‌ କାଂସ୍ୟ ପଦକ ପାଇଛନ୍ତି। ମହିଳା ୧୦ ମିଟର୍‌ ଏୟାର୍‌ ପିସ୍ତଲ ମ୍ୟାଚ୍‌ର ଚୂଡ଼ାନ୍ତ ଇଭେଣ୍ଟ୍‌ରେ ପହଞ୍ଚିବାକୁ ପୂର୍ବରୁ ଭାକର ଏବଂ ଯଶ୍ୱସ୍ୱିନୀ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନ ଅକ୍ତିଆର କରିଥିଲେ।

By amfnews

Related Post