Sun. Mar 8th, 2026

ଅସୁରକ୍ଷିତ ଅସ୍ତରଙ୍ଗ ବେଳାଭୂମି : ସମୁଦ୍ରରେ ମାଳମାଳ ବୋଟ୍ ବୁଲୁଛି, ସୁରକ୍ଷା ପ୍ରତି କାହାର ନଜର ନାହିଁ

168 Views

ଅସ୍ତରଙ୍ଗ , ନଭେମ୍ବର ୮: ଅସ୍ତରଙ୍ଗ ବେଳାଭୂମି ଏବେ ମୁକୁଳା ପଡିଛି। ସମୁଦ୍ରରେ ମାଳମାଳ ବୋଟ୍ ଘୁରି ବୁଲୁଛି। ସ୍ଥାନୀୟ ଅଞ୍ଚଳର କାଁଭାଁ କେତୋଟି ବୋଟ୍ ରହିଥିବା ବେଳେ ବାକି ସବୁ ବାହାର ରାଜ୍ୟର ବୋଟ୍ ବୋଲି ମସ୍ଥ୍ୟଜୀବୀମାନେ ସୂଚନା ଦେଉଛନ୍ତି। ଏଭଳି ପରିସ୍ଥିତିରେ କେତେବେଳେ ଯେ କ’ଣ ଘଟିବ ତାହା କହିବା ମୁସ୍କିଲ। ସବୁଠୁ ବଡ଼ କଥା ହେଉଛି, ବାହ୍ୟଶତ୍ରୁ ଆକ୍ରମଣରୁ ସୁରକ୍ଷା ପାଇଁ ଏଠାରେ ସାମୁଦ୍ରିକ ଥାନା ଥିଲେ ମଧ୍ୟ ତାହା କୌଣସି କାମକୁ ଆସୁନାହିଁ। ସମୁଦ୍ର ପଥରେ ନିୟମିତ ପେଟ୍ରୋଲିଂ ହେବାର କେବେ ନଜିର ନାହିଁ। ସାମୁଦ୍ରିକ ଜେଟି ନୂଆଗଡଠାରେ ସବୁଦିନ ଲାଗୁଛି ଅଜଣା ବୋଟ୍। ସାମୁଦ୍ରିକ ଥାନା ନାଁକୁ ମାତ୍ର କାର୍ଯ୍ୟ କରୁଛି।

କର୍ମଚାରୀ ଓ ଅନ୍ୟାନ୍ୟ ଅସୁବିଧା ହେତୁ ଅଧିକାଂଶ ସମୟରେ ଏହା ବନ୍ଦ ରହୁଛି। ତଟରକ୍ଷୀ ବାହିନୀର ସୁରକ୍ଷା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଳାଭୂମିରେ ପ୍ରତିବର୍ଷ ଘଟୁଥିବା ଅଘଟଣ ପ୍ରତି କାହାର ଟିକିଏ ନଜର ନାହିଁ କହିଲେ ଚଳେ। ବେଳାଭୂମିରେ ନା ଅଛି କଟକଣା ନା ସଚେତନତା। ଗତବର୍ଷ ବନ ବିଭାଗ ତରଫରୁ ଯେଉଁ ସଚେତନତା ଫ୍ଲେକ୍ସ ଲାଗିଥିଲା ତାହା କେବେଠୁ ଉଭାନ୍ ହୋଇଗଲାଣି। କୌଣସିଠାରେ ସଚେତନତା ଫଳକ ଦେଖିବାକୁ ମିଳୁନାହିଁ।

ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଯାଇଥିବାରୁ ପୀରଜାହାନିଆ ବେଳାଭୂମିରେ ଭିଡ଼ ଜମୁଛି। ଅଶାନ୍ତ ସମୁଦ୍ରରେ ପ୍ରବେଶ କରି ଯୁବ ଗୋଷ୍ଠୀଙ୍କୁ ସ୍ନାନ କରିବା ଦେଖିବାକୁ ମିଳୁଛି। ଏଠାରେ ଲାଇଫ୍ ଗାର୍ଡ଼ ବ୍ୟବସ୍ଥା ମୂଳରୁ ହିଁ ନାହିଁ। ସମ୍ଭାବ୍ୟ ଅଘଟଣକୁ ରୋକିବା ପାଇଁ ସ୍ଥାନୀୟ ପୁଲିସ୍ ବି ଅସମର୍ଥ। ଆବଶ୍ୟକ ମୁତାବକ କର୍ମଚାରୀ ନଥିବାରୁ ବେଳାଭୂମିରେ ସବୁ ସମୟରେ ସୁରକ୍ଷା ଦେବା ସମ୍ଭବ ହୋଇପାରୁନି ବୋଲି ଥାନା କର୍ତ୍ତୃପକ୍ଷ କହିଛନ୍ତି। ସେ ଯାହା ବି ହେଉ, ପର୍ଯ୍ୟଟନ ଋତୁ ସମୟ ପର୍ଯ୍ୟନ୍ତ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା କରିବା ଲାଗି ସାଧାରଣରେ ମତପ୍ରକାଶ ପାଇଛି।

By amfnews

Related Post