Sun. Mar 8th, 2026

ଅଭିନନ୍ଦନଙ୍କୁ ଗିରଫ କରିଥିବା ପାକ୍‌ ଯବାନ ନିହତ

245 Views

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପିଓକେରୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍‌ ଯବାନ ସୁବେଦାର ଅହମ୍ମଦ ଖାନ୍‌ ନିହତ ହୋଇଛି। ପାକିସ୍ତାନ ସୀମାରୁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ସହଯୋଗ କରୁଥିବା ବେଳେ ସୁବେଦାର ଅହମ୍ମଦ ଖାନ୍‌ ଭାରତୀୟ ସେନା ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି।

ଅଗଷ୍ଟ ୧୭ରେ ସୁବେଦାର ଅହମ୍ମଦ ଖାନ୍‌ ଏଲଓସିର ନକିଆଲ ସେକ୍ଟର ଠାରେ ପାକିସ୍ତାନୀ ଆତଙ୍କୀମାନଙ୍କୁ ଭାରତରେ ପ୍ରବେଶ ପାଇଁ ସହଯୋଗ କରୁଥିଲା। ଏହା ଜାଣିବା ପରେ ଭାରତୀୟ ସେନା ପକ୍ଷରୁ ଗୁଳିରେ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟଧରି ଚାଲିଥିବା ଏହି ଗୁଳି ବିନିମୟରେ ସୁବେଦାର ଅହମ୍ମଦ ଖାନ୍‌ ପ୍ରାଣ ହରାଇଛି।

କେବଳ ନକିଆଲ ସେକ୍ଟର ନୁହେଁ ଏହା ପୂର୍ବରୁ ମଧ୍ୟ ସୁବେଦାର ଅହମ୍ମଦ ଖାନ ନୌଶେରା, ସୁନ୍ଦରବେନି ଓ ପଲ୍ଲାନ ସେକ୍ଟରରେ ମଧ୍ୟ ଆତଙ୍କବାଦୀମାନଙ୍କୁ ଭାରତରେ ଅନୁପ୍ରବେଶ କରାଇଥିଲା। ହେଲେ ଅଗଷ୍ଟ ୧୭ ତାରିଖରେ ତା’ର ସବୁ ଯୋଜନା ଫେଲ ମାରିଥିଲା।

ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସେନା ଫେବୃଆରୀ ୨୭ରେ ଯୁଦ୍ଧ ବିମାନ ଜରିଆରେ ଭାରତୀୟ ସେନା ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକ୍‌ ଯୁଦ୍ଧ ବିମାନ ସହ ଲଢ଼େଇ କରିଥିଲେ। ଅଭିନନ୍ଦନ ପାକ୍‌ ଯୁଦ୍ଧ ବିମାନକୁ ଖସାଇବା ପରେ ପିଓକେରେ ଖସି ପଡ଼ିଥିଲେ। ଏହାପରେ ତାଙ୍କୁ ସୁବେଦାର ଅହମ୍ମଦ ଖାନ୍‌ ହିଁ ଗିରଫ କରିଥିଲା। ପାକ୍‌ ଆର୍ମି କ୍ୟାମ୍ପରେ ଅହମ୍ମଦ ଖାନ୍‌ ମଧ୍ୟ ଅଭିନନ୍ଦନଙ୍କୁ ନିର୍ଯାତନା ଦେଇଥିଲା।

By amfnews

Related Post