Sun. Mar 8th, 2026

ଅପହଞ୍ଚ ଅଞ୍ଚଳରେ ସ୍ବାସ୍ଥ୍ୟସେବା : ୨୩ ଜିଲ୍ଲାରେ ଖୋଲିବ ୧୦୨ ଡିଜିଟାଲ ଡିସ୍‌ପେନ୍‌ସାରି

163 Views

ଭୁବନେଶ୍ବର, ଜାନୁଆରୀ ୨୩  : ରାଜ୍ୟର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚିବ। ଆଧୁନିକ ଜ୍ଞାନକୌଶଳ ଜରିଆରେ ରାଜ୍ୟର ସରକାର ୨୩ଟି ଜିଲ୍ଲାରେ ‘ଡିଜିଟାଲ ଡିସପେନସାରି’ ଖୋଲିବାକୁ ଯାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଗ୍ଲୋକାଲ ହେଲ୍‌ଥ କେୟାର ସିଷ୍ଟମ ଲିମିଟେଡ୍‌ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲାର ୨୫ଟି ଓ କେନ୍ଦୁଝର ଜିଲ୍ଲାର ୫ଟି ସ୍ଥାନରେ ଗ୍ଲୋକାଲ ହେଲ୍‌ଥ କେୟାର ସହାୟତାରେ ପୂର୍ବରୁ ପରୀକ୍ଷାମୂଳକ ଭାବେ ଏହାକୁ ଆରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ ପ୍ରାୟ ୧ଲକ୍ଷରୁ ଅଧିକ ଲୋକ ‌ଏହି ସେବା ଦ୍ବାରା ଉପକୃତ ହୋଇଛନ୍ତି। ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଡିଜିଟାଲ ଡିସପେନସାରିର ସଫଳତା ଆଧାରରେ ରାଜ୍ୟ ସରକାର ଅନ୍ୟ ଜିଲ୍ଲାକୁ ଏହାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନୁଗୁଳ, ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନାଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଡିଜିଟାଲ ଡିସପେନସାରିର ସୁବିଧା ମିଳିବ।

ଏହି ଜିଲ୍ଲାଗୁଡ଼ିର ଯେଉଁ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚି ପାରିନାହିଁ ସେଠାରେ ଏହି ଡିଜିଟାଲ ଡିସପେନସାରି ପ୍ରତିଷ୍ଠା ହେବ। ପ୍ରତ୍ୟେକ ଡିଜିଟାଲ ଡିସପେନସାରିରେ ଭିଡିଓ କନଫେରନ୍‌ସିଂ ଜରିଆରେ ଏମ୍‌ବିବିଏସ୍ ଡାକ୍ତରଙ୍କଠାରୁ ପରାମର୍ଶ ଗ୍ରହଣ ବ୍ୟବସ୍ଥା କରାଯାଇଛି। ଏହାସହିତ ଡିସ୍‌ପେନସାରିରେ ଜଣେ ଲେଖାଏଁ ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ଲାବ‌ୋରେଟାରି ଆସିଷ୍ଟାଣ୍ଟଙ୍କ ନିଯୁକ୍ତ ହେବେ। ଡିସପେନ୍‌ସାରିରେ ପରିସ୍ରା, ରକ୍ତରେ ହେମୋଗ୍ଲୋବିନ୍, ସର୍କରା ମାତ୍ରା ଚିହ୍ନଟ ପାଇଁ ପରୀକ୍ଷା, ମ୍ୟାଲେରିଆ, ଡେଙ୍ଗୁ, ରକ୍ତଚାପ, ଇସିଜି, ଗର୍ଭଧାରଣ ଚିହ୍ନଟ ଭଳି ବିଭିନ୍ନ ପ୍ରକାର ଆବଶ୍ୟକୀୟ ପରୀକ୍ଷା ହୋଇପାରିବା ସହିତ ବିନା ମୂଲ୍ୟରେ ଔଷଧ ଯୋଗାଇ ଦିଆଯିବ। ଲୋକମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ସୁବିଧା ‌ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

By amfnews

Related Post