Sun. Mar 8th, 2026

ଅନ୍ଧାର ରାତିରେ ଦେବଦୂତ ସାଜିଲେ ଡାକ୍ତର, ୨କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

233 Views

କଲ୍ୟାଣସିଂହପୁର: ଶୀତୁଆ ଅନ୍ଧାରୁଆ ରାତି। ଯନ୍ତ୍ରଣାରେ ଛଟପଟ ହେଉଥିଲେ ଦୁର୍ଗମ ଅଞ୍ଚଳର ଜଣେ ଗର୍ଭବତୀ। ବିଗୁଡ଼ୁଥିଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା। ଏମିତି ଅସମୟରେ ଦେବଦୂତ ସାଜିଲେ ଜଣେ ଡାକ୍ତର। ରାସ୍ତା ନଥିବା ଗାଁରେ ପହଞ୍ଚି ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ। ୨କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଆଣିବା ପରେ ଡାକ୍ତରଖାନା ନେବା ବ୍ୟବସ୍ଥା କଲେ। ରାୟଗଡ଼ା ଜିଲ୍ଲା ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ମାଣ୍ଡିପିଟା ଗାଁର ଏହି ଜଣେ ଡାକ୍ତରଙ୍କ କର୍ତ୍ତବ୍ୟ ପ୍ରତି ରହିଥିବା ନିଷ୍ଠାକୁ ପ୍ରତିପାଦନ କରିଛି।

ଜାଲିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପିଟା ଗାଁର ସଂଗୀତା ମାଝୀ (୨୨) ଗତକାଲି ରାତି ପ୍ରାୟ ୧୧ଟାରେ ପ୍ରସବ ଜନିତ ବେଦନା ଅନୁଭବ କରିଥିଲେ। ତେଣୁ ମେଡିକାଲ ନେବା ପାଇଁ ସ୍ବାମୀ ପୁଙ୍ଗାରା ମାଝୀ ସାହି ପଡ଼ିଶାଙ୍କୁ ଡାକିଥିଲେ। ଶୀତୁଆ ରାତିରେ ଘରୁ କେହି ବାହାରି ନଥିଲେ। ଏମିତି ସ୍ଥିତିରେ ଏକୁଟିଆ ପୁଙ୍ଗାରା ଗାଁରୁ ଚାଲି ଚାଲି ୫କିଲୋମିଟର ଦୂରରେ ଥିବା ଡିପି ବଙ୍କାକୁଣ୍ଡୁ ସ୍ଥିତ ମା ସନ୍ତୋଷୀ ଜନକଲ୍ୟାଣ ଫାଉଣ୍ଡେସନର ଡାକ୍ତରଖାନାରେ ପହଞ୍ଚିଥିଲେ। ସେତେବଳକୁ ଡାକ୍ତରଖାନାରେ କେବଳ ପରିଚାଳକ ଚିତ୍ତରଂଜନ ନନ୍ଦ ଥିଲେ।

ସେ ସମସ୍ତ ବିଷୟରେ ଜାଣିବା ପରେ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଅନ୍ୟମାନଙ୍କୁ ଯୋଗାଯୋଗ କରିଥିଲେ। ରାତିରେ ଦୁର୍ଗମ ଅଞ୍ଚଳକୁ ବାଇକ ଆମ୍ବୁଲାନ୍ସ ଯିବା ସମ୍ଭବ ନଥିବାରୁ ଏମଏଚୟୁ ଗାଡ଼ି ଧରି ଗାଁକୁ ଯାଇଥିଲେ। ସାଥୀରେ ଥିଲେ ଡାକ୍ତର ସମରେନ୍ଦ୍ର ପାତ୍ର, ଫାର୍ମାସିଷ୍ଟ ଅରୁଣ କୁମାର ସେଠୀ, ମହିଳା ସ୍ବାସ୍ଥ୍ୟ କର୍ମୀ କବିତା ଧାଙ୍ଗଡ଼ାମାଝୀ, ସୁଷମା ଦୀପ, ଆଶା କର୍ମୀ ସାନ୍ତରା ହରିଜନ। ରାତି ପ୍ରାୟ ୧୨ଟାରେ ଏମାନେ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଅଟକିଥିଲେ। କାରଣ ଏହାପରେ ଆଉ ଭଲ ରାସ୍ତା ନଥିବାରୁ ଗାଡ଼ି ଯାଇ ପାରି ନଥିଲା। ସମସ୍ତେ ଗୋଟିଏ ଷ୍ଟ୍ରେଚର ନେଇ ଚାଲି ଚାଲି ଗାଁରେ ପହଞ୍ଚିଥିଲେ। ଗର୍ଭବତୀଙ୍କୁ ସେଥିରେ ଶୁଆଇ ଦେଇ ଗାଁରୁ ବାହାରିଥିଲେ। ପାଳି କରି ସମସ୍ତେ ଷ୍ଟ୍ରେଚର ସହ ଗର୍ଭବତୀଙ୍କୁ ବୋହିଥିଲେ। ପାଦ ଚଲା ରାସ୍ତାରେ ମୋବାଇଲ ଲାଇଟରେ ବହୁ କଷ୍ଟରେ ସେମାନେ ଗାଡ଼ି ପର୍ଯ୍ୟନ୍ତ ପହଞ୍ଚିଥିଲେ। ଗର୍ଭବତୀଙ୍କୁ ପ୍ରଥମେ ଡିପି ବଙ୍କାକୁଣ୍ଡୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏଠାରେ ପ୍ରସବ ନିମନ୍ତେ ବିଶେଷ ସୁବିଧା ନଥିବାରୁ ପରବର୍ତ୍ତୀ ସମୟରେ ପୁଣି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

By amfnews

Related Post