Sun. Mar 8th, 2026

ଅନ୍ତେବାସୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ସ୍କୁଲ୍‌ ସମ୍ମୁଖରେ ୫ ଘଣ୍ଟା ପଡ଼ିରହିଲା ମୃତଦେହ

351 Views

ଦଶପଲ୍ଲା, ନଭେମ୍ବର ୨୮: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବୁଗୁଡ଼ା କନ୍ୟାଶ୍ରମର ୬ଷ୍ଠ ଶ୍ରେଣୀ ଛାତ୍ରୀ ସୁନିତା ଜାନୀଙ୍କର ଗତକାଲି ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ଆଜି ଛାତ୍ରୀଙ୍କ ପରିବାର ଓ ଗ୍ରାମବାସୀମାନେ ଆନ୍ଦୋଳନ କରିଥି‌େଲ। ଫଳରେ, ସ୍କୁଲ୍‌ ସମ୍ମୁଖରେ ମୃତଦେହ ୫ ଘଣ୍ଟା ଧରି ପଡ଼ି ରହିଥିଲା। ସୁନିତାଙ୍କ ବାପା ଦଶରଥଙ୍କ ଅଭିଯୋଗ ଅନୁଯାୟୀ, ଝିଅ ପାଇଁ ସେ ମୁଢ଼ି, ଚୁଡ଼ା ଓ ବିସ୍କୁଟ ନେଇ ଗତ ୨୫ ତାରିଖରେ ବିଦ୍ୟାଳୟକୁ ଯାଇଥିଲେ। ସ୍କୁଲରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ସୁନିତାକୁ ଭୀଷଣ ଜ୍ବର ହୋଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ଗ୍ରହଣ କରିନଥିଲେ।

ବରଂ ସୁନିତା ଘରକୁ ଯିବା ପାଇଁ ଏଭଳି ମିଛ କହୁଥିବା ବିଦ୍ୟାଳୟର କିଛି କର୍ମଚାରୀ କହିଥିବା ଦଶରଥ କହିଛନ୍ତି। ପରେ ଦଶରଥ ସୁନିତାକୁ ସାଥୀରେ ଧରି ସଂଧ୍ୟାରେ ଘରେ ପହଞ୍ଚିଥିଲେ। ରାତିରେ ଭୀଷଣ ଜ୍ବର ହେବାରୁ ରବିବାର ସକାଳେ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ।

ନୟାଗଡ଼ରେ ଚିକିତ୍ସିତ ହେଉଥିବା ବେଳେ ସୁନିତାର ମୃତ୍ୟୁ ଘଟିଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସୁନିତାର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଆଜି ସ୍କୁଲ ଫାଟକ ସମ୍ମୁଖରେ ଶବ ରଖି କ୍ଷତିପୂରଣ ଦାବି କରିଥିଲେ। ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ଓ ତହସିଲଦାର ପ୍ରମୋଦ କୁମାର ଦଳବେହେରା ଘଟଣାସ୍ଥଳରେ ପହଞ୍ଚି ପରିବାର ବର୍ଗଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

By amfnews

Related Post