Sat. Jan 18th, 2025

ଅନୁସୂଚିତ ଜାତି ଛାତ୍ର ବୃତ୍ତିରେ କେନ୍ଦ୍ରୀୟ ଅଂଶ କମାଇବା ପ୍ରସଙ୍ଗ, ରାଜଭବନ ଆଗରେ ବିଜେଡିର ଧାରଣା

By amfnews Nov 24, 2018 #Featured
229 Views

ଭୁବନେଶ୍ୱର, ନଭେମ୍ବର ୨୪: ଅନୁସୂଚିତ ଜାତି ଛାତ୍ର ବୃତ୍ତିରେ କେନ୍ଦ୍ରୀୟ ଅଂଶ କମାଇବା ପ୍ରତିବାଦରେ ଆଜି ରାଜଭବନ ସାମ୍ନାରେ ବିଜୁ ଜନତା ଦଳ ଧାରଣା ଦେଇଛି । ବିଶେଷକରି ଛାତ୍ର ବୃତ୍ତିଅଂଶ ୯୦ ପ୍ରତିଶତରୁ ୨୦ ପ୍ରତିଶତକୁ କେନ୍ଦ୍ର ସରକାର କମାଇବା ଅଭିଯୋଗ କରିଛି ଦଳ । ଫଳରେ ରାଜ୍ୟ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡିଥିବା ହେତୁ ଆଜି ବିଜେଡି ବିରୋଧ ପ୍ରଦର୍ଶନ କରିଛି । 

ଅନୁସୂଚିତ ଜାତିଙ୍କ ପାଇଁ କେନ୍ଦ୍ର ଦେଉଥିବା ଛାତ୍ରବୃତ୍ତିର ଅନୁପାତକୁ ପରିବର୍ତନ କରିଥିବାରୁ ପ୍ରତିବାଦରେ ଆଜି ବିଜେଡ଼ିର ସମ୍ପୃକ୍ତ ଜାତିର ବିଧାୟକ, ବିଧାୟିକା ମାନେ ସକାଳ ୮ଟାରୁ ଏକ ୧୨ ଘଂଟିଆ ଅନଶନ ଧାରଣା ଓ ଧର୍ମଘଟ କରୁଛନ୍ତି । ଏହାର ପୁନର୍ବିଚାର ପାଇଁ ସେମାନେ ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ । ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ଯେ, ଦୁର୍ଭାଗ୍ୟର ବିଷୟ ଯେ କେନ୍ଦ୍ର ଓଡ଼ିଶାର ପ୍ରଗତିରେ ପ୍ରମୁଖ ବାଧକ ।

ଏହାର ସଦ୍ୟତମ ଉଦାହରଣ ହେଉଛି ରାଜ୍ୟର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କେନ୍ଦ୍ରର କୁଠାରାଘାତ ଏବଂ ଧାର୍ୟ୍ୟ  ସମୟରେ ଛାତ୍ରବୃତି ନଦେଇ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା । ସରକାର ଯଦି ତାଙ୍କ ନିଷ୍ପତିର ପରିବର୍ତନ ନ କରନ୍ତି କିମ୍ବା ପୁନର୍ବିଚାର ନ କରନ୍ତି ଆଗାମୀ ଦିନରେ ରାଜ୍ୟରେ ଆନ୍ଦୋଳନ କରାଯିବ ।

ବିଜେଡି ଅଭିଯୋଗ କରିଛି କି, ରାଜ୍ୟରେ ପ୍ରାୟ ୨ଲକ୍ଷ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାଟ୍ରିକ ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରିଥାନ୍ତି । ଏହି ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ କେନ୍ଦ୍ର ପ୍ରାୟୋଜିତ ମେଧାବୃତି ବ୍ୟବସ୍ଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ହୋଇଆସୁଛି । ଏହି ବ୍ୟବସ୍ଥାରେ କେନ୍ଦ୍ର ୯୦% ଆର୍ଥିକ ବ୍ୟବସ୍ଥାରେ ସହଯୋଗ ରଖୁଥିଲା । ୨୦୧୬-୧୭ ଆର୍ଥିକ ବର୍ଷରେ ଏହିକ୍ରମରେ ୨୧୫.୮୦ କୋଟି କେନ୍ଦ୍ରର ଅଂଶ ହୋଇଥିଲା ବେଳେ ରାଜ୍ୟ ଅଂଶ ୨୨.୪୮ କୋଟି ଟଙ୍କା ଥିଲା ।

ହଠାତ କେନ୍ଦ୍ର ସରକାର ଏହି ବ୍ୟବସ୍ଥାର ଆଶ୍ଚର୍ୟ୍ୟ ଜନକ ଭାବେ ପରିବର୍ତନ ଘଟାଇ ରାଜ୍ୟ ସରକାରଙ୍କ ଉପରେ ୮୦%ରୁ ଅଧିକ ଆର୍ଥିକ ବୋଝ ଲଦି ଦେଇଛନ୍ତି, ଯାହା ସମଗ୍ର ଅନୁସୂଚିତ ଜାତି ଛାତ୍ରଛାତ୍ରଙ୍କ ପ୍ରତି ଚରମ ଅନ୍ୟାୟ । ଫଳତଃ ଏହି ବର୍ଗର ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ୨୦୧୭-୧୮ ବର୍ଷରେ ମେଧାବୃତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ୨୩୮.୨୮ କୋଟି ଟଙ୍କାର ଆର୍ଥିକ ବୋଝକୁ ବହନ କରିବାକୁ ପଡିବ । ମୁଖ୍ୟମନ୍ତ୍ରୀ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମେଧାବୃତି ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟକୁ ପତ୍ର ଲେଖି ଅନୁଦାନ କ୍ଷେତ୍ରରେ ପୁନର୍ବିଚାର କରିବା ସହ ପୂର୍ବବତ କେନ୍ଦ୍ର ୯୦% ଓ ରାଜ୍ୟ ୧୦% ବହନ କରିବା ଲାଗି ଅନୁରୋଧ କରିଛନ୍ତି ।

କେନ୍ଦ୍ର ସରକାର ଛାତ୍ରବୃତିର ଢାଂଚା ସଂପୂର୍ଣ୍ଣ ରୂପେ ପରିବର୍ତନ କରିଥିବାରୁ ପୂର୍ବରୁ ଦେଉଥିବା ୯୦% ଛାତ୍ରବୃତି ବର୍ତମାନ ୨୦%ରେ ସୀମିତ ରହିଛି । କେନ୍ଦ୍ରର ଏପରି ବୈମାତୃକ ମନୋଭାବ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ନିଷ୍ଠା ଓ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆସନ୍ତା ୨୪ ତାରିଖରେ ଏହାର ପ୍ରତିବାଦରେ ରାଜଭବନ ସମ୍ମୁଖରେ ସକାଳ ୮ଟାରୁ ୧୨ ଘଂଟିଆ ପ୍ରତୀକାତ୍ମକ ରିଲେ ଅନଶନ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

By amfnews

Related Post