Thu. Dec 26th, 2024

ଅନାସ୍ଥା ପ୍ରସ୍ତାବ ବାହାନାରେ ବିରୋଧୀଙ୍କୁ ଏକଜୁଟ କଲା କଂଗ୍ରେସ, ବିଜେପି ପାଇଁ ସତର୍କ ଘଂଟି

By amfnews Jul 21, 2018 #Featured
187 Views

ନୂଆଦିଲ୍ଲୀ, ଜୁଲାଇ ୨୧: ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଯଦିଓ କାଟ୍ ଖାଇଛି କିନ୍ତୁ ଏହାକୁ ନେଇ ଚିନ୍ତାରେ ଭାରତୀୟ ଜନତା ପାର୍ଟି । କାରଣ ଏହି ପ୍ରସ୍ତାବ ସମୟରେ ସମସ୍ତ ବିରୋଧୀ ଦଳର ସ୍ୱର ଏକ ଥିବା ଦେଖାଯାଇଥିଲା । ଯାହା ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପାଇଁ ସତର୍କ ଘଂଟି ସଦୃଶ ହେବ ।

ସଂସଦରେ ବିଜେପିକୁ ମିଳିଲା ନାହିଁ ଶିବସେନାର ସମର୍ଥନ

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ବିଜେପିର ସମସ୍ତ ସହଯୋଗୀ ଦଳ ସଦନରେ ଉପସ୍ଥିତ ରହିବା ପାଇଁ ଆଗ୍ରହ ଦେଖାଇଥିଲେ । କିନ୍ତୁ ଶିବସେନା ସଦନରେ ଉପସ୍ଥିତ ନ ରହିବା ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦଳ ଦୀର୍ଘ ଦିନ ଧରି ମୋଦୀ ସରକାରଙ୍କ ବିରୋଧରେ ନାନା ମତ ଦେଇ ଆସୁଛି । କାଲିର ଅନାସ୍ଥା ପ୍ରସ୍ତାବରେ ସାମିଲ ନ ହୋଇ ବିଜେପିକୁ ଝଟକା ଦେଇଛି ଶିବସେନା ।

ବିଜେଡିର କକ୍ଷତ୍ୟାଗ

ବାଜପାୟୀ ସରକାର ସମୟରେ ବିଜେପିର ସହଯୋଗୀ ଥିବା ବିଜୁ ଜନତା ଦଳ ସଦନରେ ବାଜପା ବିରୋଧରେ ନିଜ ସ୍ୱଭାବ ଦେଖାଇବା ସହ ଗୃହ ତ୍ୟାଗ କରିଥିଲା । ଭାଜପା ପାଇଁ ଏହା କୌଣସି ଝଟକା ଠାରୁ କମ୍ ନୁହେଁ ।

ରାହୁଲ ଗାନ୍ଧିଙ୍କ ଆକ୍ରମଣାତ୍ମକ ଜବାବ

ଅନାସ୍ଥା ପ୍ରସ୍ତାବ ସମୟରେ ରାହୁଲ ଗାନ୍ଧି ଯେଉଁଭଳି ଭାବେ ନିଜର ମତ ରଖିଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ଭାଜପା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ରାହୁଲ ରାଫେଲ୍ ଡିଲ୍, ବ୍ୟାଙ୍କ ଘୋଟାଲା, ବେରୋଜଗାର ଆଦି ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ନାମ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଭ୍ରଷ୍ଟାଚାରର ଅଭିଯୋଗ ଲଗାଇଥିଲେ । ରାହୁଲଙ୍କ ଏପରି ମନୋଭାବ ଆଗାମୀ ଦିନରେ ବିଜେପି ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବ  ।

ଅନାସ୍ଥା ପ୍ରସ୍ତାବ ବାହାନାରେ ବିରୋଧୀଙ୍କୁ ଏକଜୁଟ କରିଛି କଂଗ୍ରେସ

ଅନାସ୍ଥା ପ୍ରସ୍ତାବ ଜରିଆରେ କଂଗ୍ରେସ ବିରୋଧୀଙ୍କ ଏକଜୁଟ କରିବାରେ ସଫଳ ହୋଇଛି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ରାଷ୍ଟ୍ରିୟ ଜନତା ଦଳ, ସିପିଏମ, ଟିଡିପି ସମେତ ଅନେକ ଦଳ କଂଗ୍ରେସ ସହ ରହିଥିବା ଦେଖିବାକୁ ମିଳିଥିଲା । ଏହା ନିଶ୍ଚିତ ଭାବେ ବିଜେପି ପାଇଁ ସତର୍କ ଘଂଟି କାରଣ ଏହାର ପ୍ରଭାବ ଆମାଗୀ ନିର୍ବାଚନରେ ଦେଖିବାକୁ ମିଳିପାରେ  । ଯଦି କଂଗ୍ରେସ ଏହି ପରି ବିରୋଧୀ ଦଳଙ୍କୁ ସାଥିରେ ନେଇ ଚାଲିବ ତେବେ ୨୦୧୯ ଲୋକସଭା ନିର୍ବାଚନରେ ଦଳକୁ ଭଲ ସଂଖ୍ୟା ମିଳିବାର ସମ୍ଭାବନାକୁ ଏଡାଇ ନ ଦିଆଯାଇପାରେ ।

By amfnews

Related Post